ହାଇଦ୍ରାବାଦ୍,(ଏଜେନ୍ସି): ମୋବଇଲରେ ପର୍ଣ୍ଣ ଭିଡିଓ ଦେଖୁଥିବାରୁ ଏଥିରେ ଉତକ୍ଷିପ୍ତ ହୋଇ ବାପା ତାଙ୍କ ପୁଅର ହାତକୁ ଛୁରି ଭୁସିଦେବାରୁ ଆଙ୍ଗୁଠି କଟିଯାଇଛି । ପୁଅକୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତେଲେଙ୍ଗାନାର ସାଇବରାବାଦ ଅଞ୍ଚଳରେ । ପାହାଡିସରିଫ୍ ପୁଲିସ୍ ଅଭିଯୁକ୍ତ ବାପାଙ୍କୁ ଗିରଫ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ଅଞ୍ଚଳରେ ରହୁଥିବା ୧୮ ବର୍ଷୀୟ ଖାଲିଦ୍ ସର୍ବଦା ନିଜ ସ୍ମାର୍ଟଫୋନରେ ପର୍ଣ୍ଣ ଭିଡିଓ ଦେଖୁଥିଲେ । ଏହି ନିଶାରେ ସେ ଏତେ ମାତ୍ରାରେ ପଡ଼ି ଯାଇଥିଲେ ଯେ ଘଣ୍ଟାଘଣ୍ଟା ଧରି ମୋବାଇଲରେ ଭିଡିଓ ଦେଖିବାରେ ବ୍ୟସ୍ତ ରହୁଥିଲେ । ବିଳମ୍ବିତ ରାତିରେ ଖାଲିଦ୍ ମୋବାଇଲରେ ବ୍ୟସ୍ତ ରହୁଥିବାରୁ ବାପା ମହମ୍ମଦ କ୍ୟୁୟାମ୍ ବାରମ୍ବାର ତାଙ୍କୁ ଏପରି ନ କରିବାକୁ କହୁଥିଲେ । ହେଲେ ଏହାକୁ ଖାଲିଦ୍ ଖାତିର କରୁ ନଥିଲା । ବରଂ ବାପା କାହିଁକି ଆକଟ କରୁଛନ୍ତି ବୋଲି କହି ତାଙ୍କ ସହ ପାଟିତୁଣ୍ଡ କରୁଥିଲା ।
ଗତକାଲି ରାତିରେ ଖାଲିଦ୍ ନିଜ ରୁମରେ ପର୍ଣ୍ଣ ଭିଡିଓ ଦେଖୁଥିବା ବେଳେ ହଠାତ୍ ବାପା ମହମ୍ମଦ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ଘରେ କେହି ନଥିବାରୁ ଏହାକୁ ନେଇ ବାପା ଓ ପୁଅ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ମହମ୍ମଦ ମାଂସ କଟା ଛୁରିରେ ପୁଅର ହାତକୁ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ଖାଲିଦଙ୍କୁ ତାଙ୍କ ମା’ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୁଲିସ୍ ଖାଲିଦ୍ ଓ ତାଙ୍କ ମା’ଙ୍କ ବୟାନକୁ ରେକର୍ଡ କରିବା ସହ ସେହି ଆଧାରରେ ମହମ୍ମଦଙ୍କୁ ଗିରଫ କରିଛି ।