ଗଜପତି(ଏଟିଆର ବ୍ୟୁରୋ): ବହୁ ପୁରୁଣା ଜମି ବିବାଦକୁ କେନ୍ଦ୍ର କରି ୧୪ଟି ପରିବାର ବେଘର ହୋଇଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ଗରଡମା ଗାଁରେ । ସୂଚନା ଅନୁସାରେ ଗରଡମା ଗାଁର ୧୪ଟି ପରିବାରଙ୍କ ଘର ଗତକାଲି ରାତିରେ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି । ଗରଡମା ଗାଁର ଗୋଟିଏ ସାହିରେ ଦୀର୍ଘ ୩୦ରୁ ୪୦ ବର୍ଷ ହେବ ସରକାରି ଜାଗାରେ ରହିଆସୁଛନ୍ତି । ତେବେ ସେହି ଗାଁର ଅନ୍ୟଏକ ସାହିର କିଛି ଲୋକ ମାନେ ସେଠାରେ ସାପ୍ତାହିକ ହାଟ କରିବା ପାଇଁ କହୁଥିଲେ । ଏହା ସହ ଜମି ଛଡିବା ପାଇଁ ବାରମ୍ବାର ସେଠାରେ ରହୁଥିବା ପରିବାରଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ ।
ଏହାକୁ କେନ୍ଦ୍ର କରି ସାହି ସାହି ଭିତରେ ଜମି ବିବାଦ ସୃଷ୍ଟି ହୋଇଥିଲା । ତେବେ ଗତ କାଲି ରାତିରେ ଏହା ଉଗ୍ର ରୂପ ନେଇଛି । କିଛି ଦୁର୍ବୃତ୍ତ ୧୪ଟି ଘର ଭାଙ୍ଗିବା ସହ ଘରେ ଥିବା ଆସବା ପତ୍ର ଓ ଟଙ୍କା ନେଇ ପଲାଇଥିବାର ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୭ଜଣଙ୍କୁ ଥାନାରେ ଅଟକ ରଖିଛି । ଏହା ସହ ତହସିଲଦାର ମଧ୍ୟ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଗାଁ ଲୋକ ମାନଙ୍କ ସହ କଥା ହୋଇଛନ୍ତି ।