ଜୟପୁର (ଏଟିଆର ବ୍ୟୁରୋ): ବାହାଘରର ଚାରିଦିନରେ ଘରର ସମସ୍ତ ସଦସ୍ୟଙ୍କ ଅତି ପ୍ରିୟ ହୋଇଥିଲେ ନବବଧୂ । ସମସ୍ତଙ୍କ ମୁହଁରେ ବୋହୂର ପ୍ରଶଂସା । ମାତ୍ର ପଞ୍ଚମ ଦିନରେ ବୋହୂ ତାର ଅସଲ ରୂପ ଦେଖାଇଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ଆଜ୍ଞା ହଁ ଉତ୍ତରପ୍ରଦେଶର ଫିରୋଜାବାଦରେ ଜଣେ ନବବଧୂର କଳା କାରନାମ ସାମ୍ନାକୁ ଆସିଛି । ହାତରେ ମେହେନ୍ଦୀ, ମୁଣ୍ଡରେ ହାତେ ଲମ୍ବର ନାଲି ଓଢଣି ଟାଣି ସଜେଇ ହୋଇଥିବା ଚାରିଦିନର ନବବଧୂ ଘରୁ କଳାକନା ବୁଲାଇ ଫେରାର ହୋଇଯାଇଛି ।
ନିକଟରେ ଫିରୋଜାବାଦରେ ରହୁଥିବା ଧମେନ୍ଦ୍ରଙ୍କ ବିବାହ ଏଟାରର ଜଣେ ଯୁବତୀଙ୍କ ସହ ହୋଇଥିଲା । ବାହାଘର ପରେ ନବବଧୂଙ୍କୁ ନେବା ପାଇଁ ତାଙ୍କ ମାଉସା ଏବଂ ମାଉସୀ ଜ୍ୱାଇଁଙ୍କ ଘରେ ପହଁଞ୍ଚିଥିଲେ । ସେହି ସମୟରେ ନବବଧୂ ଜଣଙ୍କ ତାଙ୍କ ଶ୍ୱଶୁର ଘରର ସମସ୍ତ ସଦସ୍ୟଙ୍କ ଖାଦ୍ୟରେ ବିଷାକ୍ତ ପଦାର୍ଥ ମିଶାଇ ଖାଇବାକୁ ଦେଇଥିଲେ । ଏହାପରେ ଘରର ସମସ୍ତ ୬ ଜଣ ସଦସ୍ୟ ବେହୋସ ହୋଇଯାଇଥିଲେ । ଏହାର ଫାଇଦା ଉଠାଇଥିଲେ ନବବଧୂ । ସେ ତାଙ୍କ ମାଉସୀ ଏବଂ ମଉସାଙ୍କ ସହ ମିଶି ଘରେ ଥିବା ସମସ୍ତ ଅଳଙ୍କାର ଏବଂ ନଗଦ ଟଙ୍କା ନେଇ ରାତାରାତି ଫେରାର ହୋଇଯାଇଛନ୍ତି । ତାପର ଦିନ ଯେତେବେଳେ ଖୀର ବାଲା ଖୀର ଦେବାକୁ ଘର ଭିତକରକୁ ପସିଛି ସେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହେବା ସହ ପୋଲିସକୁ ଖବର ଦେଇଥିଲା । ସେପଟେ ବିଷାକ୍ତ ଖାଦ୍ୟ ଖାଇ ବେହୋସ ହୋଇଥିବା ଧମେନ୍ଦ୍ରଙ୍କ ସମସ୍ତ ପରିବାର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଘଟଣା ସ୍ତଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।