ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଏଠି କଣ ଚାଲିଛି ? କିଏ ଆସି ପଥର ଫିଙ୍ଗିଲାଣି ତ କିଏ ଆସି ବସରେ ନିଆଁ ଲଗାଇଦେଲାଣି ! ଏମିତି ଲାଗୁଛି ଯେମିତି ଏସବୁ ମାଗଣାରେ ମିଳୁଛି ! ଆମର ପ୍ରାଥମିକତା କଣ ? ଦେଶ ଗୋଟିଏ । ସରକାର ବି ଗୋଟିଏ । କାଲି ସରକାର ବଦଳି ଯିବ । ହେଲେ ଦେଶର କଣ ହେବ ? ଏଠି ଯେଉଁ କୋଟି କୋଟି ଘର ଅଛି ସେସବୁର କଣ ହେବ ? କଣ ମନକଥା କହିବାକୁ ବି ଆସନ୍ତାକାଲିକୁ ପୁଲିସର ପ୍ରୋଟେକ୍ସନ ନେବାକୁ ପଡିବ ? ଏମିତି ଦିନ ଦେଖିବାକୁ ବି ବାକି ଅଛି କି ?
ଅନ୍ଧବିଶ୍ୱାସ ବିରୁଦ୍ଧରେ ଲଢ଼ୁଥିବା ବିଶିଷ୍ଟ ତର୍କବାଦୀ ନରେନ୍ଦ୍ର ଦାଭୋଲକର ଓ ଗୋବିନ୍ଦ ପଂସାରେଙ୍କ ପରିବାର ପକ୍ଷରୁ ଆଗତ ପିଟିସନ ଉପରେ ବିଚାର କରିବା ଅବସରରେ ଏଭଳି ବିରକ୍ତି ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦେଶ ଏବେ ଏମିତି ଏକ ଖରାପ ସମୟ ଦେଇ ଗତି କରୁଛି ଯେଉଁଠି ସ୍ୱାଧୀନ ଭାବେ ନା କିଛି କହି ହେଉଛି ନା ସ୍ୱାଧୀନ ଭାବେ କେଉଁଆଡେ ଯାଇ ହେଉଛି । ଜଷ୍ଟିସ ଏସ.ସି ଧର୍ମାଧୀକାରୀ ଓ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ଦ୍ୱାରା ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଭଳି ମତ ରଖିଛନ୍ତି ।
୨୦୧୩ ଅଗଷ୍ଟ ୨୦ରେ ମର୍ଣ୍ଣଂ ୱାକରେ ଯାଉଥିବା ନରେନ୍ଦ୍ରଙ୍କୁ ପୁଣେରେ ଗୁଳି କରି ହତ୍ୟା କରାଯାଇଥିବା ବେଳେ ୨୦୧୫ ଫେବୃଆରୀ ୧୬ରେ କୋହ୍ଲାପୁର ଠାରେ ଗୋବିନ୍ଦଙ୍କୁ ଗୁଳିମାଡ ହୋଇଥିଲା । ପାଖାପାଖି ୪ ଦିନ କାଳ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ସେ ଆଖି ବୁଜି ଦେଇଥିଲେ ।
ସୂଚନାଯୋଗ୍ୟ, ଦାମ୍ଭୋଲକର ଓ ପାଂସାରେଙ୍କ ହତ୍ୟାର ନିରପେକ୍ଷ ଯାଂଚ ଦାବୀରେ ଉଭୟଙ୍କ ପରିବାର ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ । ଯାହାର ବିଚାର କରି ଯାଂଚ ଏଜେନ୍ସି ଓ ମହାରାଷ୍ଟ୍ର ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ତଲବ କରିଥିଲେ କୋର୍ଟ । ସିବିଆଇ ଓ ମହାରାଷ୍ଟ୍ର ସିଆଇଡିର ସ୍ପେଷାଲ ଇନଭେଷ୍ଟିଗେସନ ଟିମ ଏହି ମାମଲାର ତଦନ୍ତ କରୁଥିବା ବେଳେ ଗୁରୁବାର ଏହାର ରିପୋର୍ଟ ବମ୍ବେ ହାଇକୋର୍ଟରେ ଦାଖଲ କରାଯାଇଥିଲା । ତେବେ କୋର୍ଟ ତଦନ୍ତରେ ସନ୍ତୁଷ୍ଟ ନହୋଇ ବିରକ୍ତି ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ସମାଜରେ ଘଟୁଥିବା ଅପରାଧର ତଦନ୍ତ ଏମିତି ଢ଼ଙ୍ଗରେ ତଦନ୍ତ ହୁଏ କି ?