ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫେବୃଆରୀ ୧ ରେ ଦିଆଯିବ ଫାଶୀ । ଏହି ୪ ଦୋଷୀ ଅକ୍ଷୟ, ବିନୟ, ମୁକେଶ ଏବଂ ପୱନ ଏବେ ତିହାର ଜେଲରେ ବନ୍ଦ ଅଛନ୍ତି । ସେମାନଙ୍କ ଫାଶୀ ପାଇଁ ଜେଲ୍ ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହାସହିତ ଜେଲକର୍ତ୍ତୃପକ୍ଷଙ୍କ ପକ୍ଷରୁ ଦୋଷୀଙ୍କ ଶେଷ ଇଛା ପଚରାଯାଇଛି ।
ଜେଲ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୪ ଜଣ ଦୋଷୀଙ୍କୁ ନୋଟିସ୍ ଜାରି କରାଯାଇ ସେମାନଙ୍କ ଶେଷ ଇଛା ପଚରାଯାଇଛି । ନୋଟିସ୍ ରେ ପଚରାଯାଇଛି କି, ଫେବୃଆରୀ ୧ ରେ ହେବାକୁ ଥିବା ଫାଶୀ ପୂର୍ବରୁ ଶେଷଥର ପାଇଁ ସେମାନେ କାହାରିକୁ ଦେଖା କରିବାକୁ ଚାହିଁବେ? ସେହିପରି ଯଦି ତୁମ ନାଁରେ କୌଣସି ସମ୍ପତି ରହିଛି ତେବେ ତାକୁ ଫାଶୀ ପୂର୍ବରୁ କାହା ନାଁରେ କରିବାକୁ ଚାହିଁବେ? ନଚେତ୍ ଯଦି ସେମାନେ କୌଣସି ଧର୍ମଗୁରୁଙ୍କୁ ଭେଟିବାର ଚାହିଁବେ ତେବେ ଜେଲ କତ୍ତୃପକ୍ଷ ସେମାନଙ୍କର ସାହାଯ୍ୟ କରିବେ । ମାତ୍ର ଏ ସମସ୍ତ ପ୍ରଶ୍ନର ଜବାବ ଦୋଷୀ କଣ ଦେଇଛନ୍ତି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଅନ୍ୟପଟେ ଫାଶୀ ହେବା କଥା ଶୁଣି ୪ ଦୋଷୀ ଡରରେ ଛାନିଆ ହୋଇପଡିଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ ଜଣେ ଦୁଇ ଦିନ ହେବ ଖାଇବା ଛାଡି ଦେଇଛି ।