କୋଲକତା(ଏଟିଆର ବ୍ୟୁରୋ): ସାରା ଭାରତ ବର୍ଷ ବର୍ତ୍ତମାନ ପିଆଜ ପାଇଁ ହାହାକାର ପଡିଛି । ପରିବା ମାର୍କେଟକୁ ଗଲା ମାତ୍ରେ ପିଆଜ ଦେଖିଲେ ଡର ଲାଗୁଛି ଗ୍ରାହକ ମାନଙ୍କୁ । ଗୃହଣୀ ମାନେ ରୋଷେଇ କଲା ବେଳେ ତରକାରିରେ ପିଆଜ ପକାଇବାକୁ ଡରୁଛନ୍ତି । ତେବେ ଏହା ଭିତରେ କିଛି ଚୋର ପିଆଜ ଚୋରି କରିଥିବା ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ତେବେ ସାଧାରଣତ ଚୋର ମାନେ ଟଙ୍କା ପଇସା କିମ୍ବା କୌଣସି ଦାମି ଜିନିଷ ଚୋରି କରିଥାନ୍ତି । ତେବେ ପିଆଜ ଚୋରି କରିବା ଘଟଣା ପ୍ରଥମ ଥର ଶୁଣିବାକୁ ମିଳୁଛି ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ମେଦିନପୁରରେ ଥିବା ଏକ ପରିବା ଦୋକାନରେ । ଚୋର ମାନେ ପରିବା ଦେକାନରେ ଥିବା ପ୍ରାୟ ୫୦ ହଜାର ଟଙ୍କାର ପିଆଜ ଚୋରି କରି ନେଇଛନ୍ତି । ମାତ୍ର ଆଶ୍ଚର୍ଯ୍ୟର ବିଷୟ ଏହା କି ଯେ ଚୋର ମାନେ ଦୋକାନରେ ଥିବା କ୍ୟାଶ ବାକ୍ସରେ ଥିବା ଟଙ୍କାରେ ହାତ ମାରି ନାହାନ୍ତି । ଦୋକାନୀ ଅକ୍ଷୟ ଦାସଙ୍କ କହିବା ଅନୁସାରେ ଆଜି ସକାଳେ ସେ ଦେକାନ ଖୋଲିବା ପରେ ସେ ଦେଖିବାକୁ ପାଇଥିଲେ ଯେ ସବୁ ଜିନିଷ ଛିନଛତର ହୋଇ ପଡିରହିଛି । ଏହା ପରେ ଅକ୍ଷୟ ଜାଣିବାକୁ ପାଇଥିଲେ ଯେ ତାଙ୍କ ଦୋକାନରୁ କିଛି ବସ୍ତା ପିଆଜ, ଅଦା, ରସୁଣ ଚୋରି ହୋଇଛି । ଯାହାର ଅନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ । ତେବେ ଅକ୍ଷୟ କହିଛନ୍ତି ଯେ ତାଙ୍କର କ୍ୟାଶ ବାକ୍ସରେ ଥିବା ଟଙ୍କା ଚୋରି ହୋଇନାହିଁ । ତେବେ ଏହି ଘଟଣା ସମସ୍ତଙ୍କୁ ଚକିତ କରି ଦେଇଛି । କିଭଳି ଚୋର ଟଙ୍କା ବାକ୍ସ ଛାଡି ପିଆଜ ଅଖା ଟେକି ନେଲେ ।