ଉତ୍ତରପ୍ରଦେଶ (ଏଟିଆର ବ୍ୟୁରୋ ) ; ରକ୍ତରେ ମିଶୁଛି କେମିକାଲ ଓ ପାଣି । ଖୁଲମଖୁଲ୍ଲା ଚାଲିଛି ବେଆଇନ ନକଲି ରକ୍ତ କାରବାର । ପର୍ଦାଫାସ ହେଲା ସବୁଠାରୁ ଭୟଙ୍କର କାରନାମାର ଭିତିରି କଥା । ଜବତ ହେଲା ୮ ୟୁନିଟ ଭେଜାଲ ରକ୍ତ ପ୍ୟାକେଟ । ଏଭଳି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷୌରେ ଘଟିଛି ।
ସେଠାରେ ରକ୍ତ ନାମରେ ପାଣି ଓ ରାସାୟନିକ ପଦାର୍ଥକୁ ମିଶାଇ ନକଲୀ ରକ୍ତ ପ୍ରସ୍ତୁତି କାରବାରର ପର୍ଦ୍ଦାଫାସ କରି ଅଭିଯୁକ୍ତ୫ ଜଣଙ୍କୁ ଧରିଛି ୟୁପି ଏସଟିଏଫ । ସ୍ଥାନୀୟ ମାଣ୍ଡୟାବ ସ୍ଥିତ ଡାକ୍ତରଖାନାରେ ରାତି ଅଧିଆ ଚଢାଉ କରି ଏସଟିଏଫ ୮ ୟୁନିଟ ରକ୍ତ ଜବତ କରିବା ସହ ବ୍ଲଡ ବ୍ୟାଙ୍କରେ ଥିବା ଦସ୍ତାବିଜ ଓ କର୍ମଚାରୀଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛି ।
ଅନ୍ୟପଟେ ଏପରି କଳା କାରବାର ବହୁ ଦିନରୁ ଚାଲିଆସୁଥିଲା ବୋଲି ଏସଟିଏଫ କହିଛି । ପାଖାପାଖି ୧୫ ଦିନ ପର୍ଯ୍ୟନ୍ତ ବ୍ଲଡ ବ୍ୟାଙ୍କ ଉପରେ ଏସଟିଏଫ ନଜର ରଖି ପ୍ରମାଣ ଓ ସାକ୍ଷୀ ପ୍ରସ୍ତୁତ କରିଥିଲା । ଶେଷରେ ଏହି ଚଢାଉ ସମ୍ପୁର୍ଣ୍ଣ ଗୋପନ ରଖାଯାଇଥିଲା । ଏପରିକି ପୋଲିସକୁ ମଧ୍ୟ ଏ ବିଷୟରେ ଜଣାଯାଇନଥିଲା । ସମ୍ପୁର୍ଣ୍ଣ ପ୍ଲାନ ପ୍ରସ୍ତୁତ ପରେ ଏଥିପାଇଁ ଜଣେ ଡେପୁଟି ଏସପିଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା ।
ସେପଟେ ଅଭିଯୁକ୍ତ ମାନେ ରକ୍ତ ତିଆରି କରିବାପାଇଁ ସେଥିରେ କେମିକାଲ ସହ ପାଣି ମିଶାଉଥିବା ଜଣାପଡିଛି । ଏହି ରକ୍ତରୁ ଗୋଟିଏ ୟୁନିଟ କିଣିବାଲାଗି ଗୋଟିଏ ରୋଗୀକୁ ପାଖାପାଖି ୩୫୦୦ ଟଙ୍କା ଦେବାକୁ ପଡିଥାଏ । ତେବେ ରିକ୍ସା ଓ ମଜଦୁର ମାନଙ୍କପାଇଁ ସେମାନେ ୧୦୦୦-୧୨୦୦ ଟଙ୍କା ନେଇଥିବା ଅଭିଯୁକ୍ତମାନେ କହିଛନ୍ତି । ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।