କଟକ(ଏଟିଆର ବ୍ୟୁରୋ): ଦହିବରା । ଖାଇବାକୁ ଯେମିତି ସ୍ୱାଦିଷ୍ଟ । ଦେଖିବାକୁ ବି ସେମିତି ସୁନ୍ଦର । ଆଉ ଯଦି କଟକ ଦହିବରା ହେଲା, କଥା ସଇଲା । ନ ଖାଇବା ପର୍ଯ୍ୟନ୍ତ ପାଟି ଖାଲି ଟକଟକ ହେବ । କେମିତି ଟିକେ ପାଟିରେ ପଡିବ । ଆମେ ଆଜି କଟକ ଦହିବରା କଥା ଏଥିପାଇଁ କହୁଛୁ । କାରଣ ଏଇ ନିକଟରେ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ୧୧ ତମ ଜାତୀୟ ଷ୍ଟ୍ରିଟଫୁଡ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି କଟକର ଦହିବରା ଆଳୁଦମ । ଆଉ ଏହି ଦହିବରାକୁ ପ୍ରସ୍ତୁତ କରିଥିଲେ କଟକର ପ୍ରଦୀପ୍ତ କୁମାର ସାହୁ (ବାବୁଲା ଭାଇ) । ଏହି ଫେଷ୍ଟିଭାଲରେ ଦେଶର ୨୯ ଟି ରାଜ୍ୟରୁ ପ୍ରାୟ ୨୫୦ରୁ ଅଧିକ ଷ୍ଟ୍ରିଟ ଫୁଡ ପ୍ରତିଯୋଗୀ ଭାଗନେଇଥିଲେ । ଆଉ ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଥିଲେ କଟକର ବାବୁଲା ଭାଇ ।
କଟକ ସେଲଟର ଛକରେ ରହୁଥିବା ପ୍ରଦୀପ୍ତ ୩୦ ବର୍ଷ ତଳେ ପରିବାରର ଆର୍ଥିକ ଅବସ୍ଥା ସୁଧାରିବା ପାଇଁ ମାତ୍ର ୧୪ ବର୍ଷ ବୟସରେ ପାଠପଢା ଛାଡି ଦହିବରା ଆଳୁଦମ ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ସେ ଦହିବରା ପ୍ରସ୍ତୁତି ଶିଖାଇବା ପାଇଁ ରାଜ୍ୟ ବହାରକୁ ମଧ୍ୟ ଗସ୍ତ କରୁଛନ୍ତି । ଏବେ ଦହିବରା ବ୍ୟବସାୟ କରି ଭଲ ଆୟ ହେଉଥିବା ସେ କହିଛନ୍ତି । ଆଗକୁ ଆନ୍ତର୍ଜାତୀୟ ସ୍ତରରେ କଟକ ଦହିବରାକୁ ଲୋକପ୍ରିୟ କରିବା ପାଇଁ ସେ ଚେଷ୍ଟା ଜାରି ରଖିଛନ୍ତି ।