ଗୁଜୁରାଟ( ଏଟିଆର ବ୍ୟୁରୋ); ଗୁଜୁରାଟ ଉପରୁ ବିପଦ ଟଳିଲା । ଆରୋବସାଗରରେ ସୃ୍ଷ୍ଟି ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ “ବାୟୁ’’ ଆଉ ଗୁଜୁରାଟରେ ଲ୍ୟାଣ୍ଡଫଲ କରିବ ନାହିଁ । ଏହି ସାମୁଦ୍ରିକ ଝଡ ଏବେ ତାର ଗତିପଥ ବଦଳାଇଛି । ବାୟୁ ଏବେ ପୋର ବନ୍ଦର, ବେରାବଲ ଦେଇ ଜଳ ପଥରେ ଅତିକ୍ରମ କରିବ ବୋଲି ପାଣିପାଗ ବିିଭାଗ ପକ୍ଷରୁ ସୂଚନା ରହିଛି ।
ବାତ୍ୟାର ଆକାର ୯୦୦ କିଲୋମିଟର ରହିଥିବାରୁ ଏହା ଗୁଜୁରାଟରେ ସ୍ଥଳଭାଗ ନ ଛୁଇଁଲେ ମଧ୍ୟ ଏହାର ପ୍ରଭାବ ସ୍ଥଳ ଭାଗ ଉପରେ ପଡିବ । ତେଣୁ ଏହି ସମୟରେ ପବନର ବେଗ ଅଧିକ ରହିବ ବୋଲି ଆକଳନ କରାଯାଉଛି । ଏହି ସାମୁଦ୍ରିକ ଝଡ ତା ଗତିପଥ ବଦଳାଇ ଗୁଜୁରାଟ ସମୁଦ୍ର ଉପକୂଳ ବର୍ତ୍ତୀ ଅଞ୍ଚଳ ଦେଇ ପାକିସ୍ତାନ ଓମାନ ଆଡକୁ ମୁହାଁଉଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଏହା ସମୁଦ୍ର ଉପକୂଳ ଦେଇ ଚାଲିଯିବ ।
ଏହି ସମୟରେ ସ୍ଥଳ ଭାଗରେ ପବନର ବେଗ ଘଣ୍ଟା ପ୍ରତି ୧୩୦ ରୁ ୧୪୦ କିଲୋମିଟର ରହିବ । ଆସନ୍ତା ୧୩ ରୁ ୧୫ ତାରିଖ ଯାଏ ଗୁଜୁରାଟ ଓ ମହାରାଷ୍ଟ୍ରରେ ସମୁଦ୍ର ଅଶାନ୍ତ ରହିବ । ତେବେ ବିପଦ ଟଳିଥିଲେ ମଧ୍ୟ ପ୍ରସ୍ତୁତିରେ କୋହଳ ନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟରେ ଏନଡିଆରଏଫର ୫୨ଟି ଟିମ୍ ମୁତୟନ ହୋଇଛନ୍ତି । ଏସଡିଆରଏଫର ୯ଟି ଟିମ୍ ଏବଂ ୩୦୦ ମେରାଇନ କମାଣ୍ଡୋଙ୍କୁ ମଧ୍ୟ ମୁତୟନ କରାଯାଇଛି