ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ପୁଣି କମିଲା ପେଟ୍ରୋଲ ଓ ଡିଜେଲ ଦର । ବିଗତ କିଛିଦିନ ହେବ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାରେ ଲାଗିଛି । ଗତ ୧୯ ଦିନ ଭିତରେ ତୈଳ ଦର ଲିଟର ପିଛା ମୋଟ ୪ ଟଙ୍କା ୨୭ ପଇସା କମିଥିବା ଜଣାପଡିଛି । ଆଜି ଦେଶର ରାଜଧାନୀ ଦିଲ୍ଲୀ ରେ ଡିଜେଲ ଲିଟର ପିଛା ୨୧ ପଇସା ହ୍ରାସ ହୋଇ ୭୬ ଟଙ୍କା ୬୭ ପଇସାରେ ପହଞ୍ଚିଛି ।
ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦର ଉପରୁ ୨୨ ପଇସା ହ୍ରାସ ହୋଇଛି । ଏବେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୬ ପଇସା ରହିଥିବା ବେଳେ ଡିଜେଲ୭୬ ଟଙ୍କା ୬୭ ପଇସାରେ ପହଞ୍ଚିଛି । ସେପଟେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୧ ପଇସା କମିଥିବା ବେଳେ ଏବେ ଲିଟର ପିଛା ୭୭ ଟଙ୍କା ୬୪ ପଇସା ରହିଛି । ସେହିପରି ଡିଜେଲର ମୂଲ୍ୟ ଲିଟର ପିଛା ୧୭ ପଇସା କମି ୭୮ ଟଙ୍କା ୭ ପଇସାରେ ପହଞ୍ଚିଛି । ସାଧାରଣତଃ ପେଟ୍ରୋଲ ଠାରୁ ଡିଜେଲର ମୂଲ୍ୟ ସାମାନ୍ୟ କମ ରହିଥାଏ ।
ତେବେ ବିଗତ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଏକା ସଙ୍ଗେ ବଢିଥିଲା । ଏଥିରେ ପ୍ରଥମ ଥର ଲାଗି ପେଟ୍ରୋଲର ମୂଲ୍ୟ ଠାରୁ ଡିଜେଲର ମୂଲ୍ୟ ଅଧିକ ହୋଇଥିଲା । ତେବେ ବର୍ତ୍ତମାନ ବି ପେଟ୍ରୋଲ ଠାରୁ ଡିଜେଲର ମୂଲ୍ୟ ଅଧିକ ରହିଛି । ସେପଟେ ଇରାନ ଠାରୁ ତେଲ କିଣିବା ଉପରେ ଆମେରିକା ଭାରତ ସମେତ ବିଶ୍ୱର ଅନ୍ୟ ୮ ଟି ଦେଶ ଉପରୁ କଟକଣା କୋହଳ କରିବା ପରେ ଭାରତ ଇରାନଠାରୁ ପୁଣି ତେଲ କିଣିବ ବୋଲି ଜଣାପଡିଛି । ତେବେ ଭାରତ ଇରାନ ଠାରୁ ତେଲ କିଣିଲେ ଭାରତରେ ତୈଳ ଦର ହ୍ରାସ ହେବ ବୋଲି ଅନୁମାନ କରାଯାଉଛି ।