ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶେଷରେ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଆଜି ପଟିଆଲା ହାଉସ କୋର୍ଟ ପୁଣି ଡେଥ ୱାରେଣ୍ଟ ଜାରି କରିଛନ୍ତି । ମାର୍ଚ୍ଚ ୩ ତାରିଖରେ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ କୋର୍ଟ ତାରିଖ ଘୋଷଣା କରିଛନ୍ତି । ଏହି ଫାଶୀ ତାରିଖ ଘୋଷଣା ହେବା ପରେ ସାଧାରଣ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ଗତ ଦୁଇଥର ଭଳି ଏଥର ମଧ୍ୟ ଆଉ ୪ ଅଭିଯୁକ୍ତ ଆଇନର ଆଳ ଦେଖାଇ ଫାଶୀ ତାରିଖ ଘୁଞ୍ଚାଇବାରେ ସଫଳ ହେବେ ନାହିଁତ? ପୁଣି ତାରିଖ ଘୁଞ୍ଚାଇ ଦେବେ ନାହିଁତ? କାରଣ ଏବେ ମଧ୍ୟ ଅଭିଯୁକ୍ତ ପୱନ ଗୁପ୍ତା ପାଖରେ କ୍ୟୁରୀ ପିଟିସନ ଦାଖଲ କରିବାର ବିକଳ୍ପ ରହିଛି । ଆଜି ଏନେଇ ମଧ୍ୟ କୋର୍ଟରେ ଶୁଣାଣୀ ଚାଲିଥିବା ବେଳେ ପୱନ କହିଥିଲା ସେ ସୁପ୍ରିମ କୋର୍ଟରେ କ୍ୟୁରିପିଟିସନ ଦାଖଲ କରିବେ ବୋଲି ।
ଯାହାକୁ ଆଜି କୋର୍ଟ ଖାରଜ କରି ଦେଇଛନ୍ତି । କୋର୍ଟ କହିଛନ୍ତି ଗତ ଶୁଣାଣୀରେ କୁହାଯାଇଥିଲା ୭ ଦିନ ମଧ୍ୟରେ ଅଭିଯୁକ୍ତ ମାନେ ସେମାନଙ୍କ ପାଖରେ ଥିବା ସମସ୍ତ ବିକଳ୍ପ ଶେଷ କରିବାକୁ । ଯାହାର କଣ୍ଟ ଗତ ଫେବୃଆରୀ ୧୧ ତାରିଖରେ ସରିଛି । ସୂଚନାଯୋଗ୍ୟ ପୂର୍ବରୁ ଜାନୁଆରୀ ୨୨ ଓ ପରେ ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବା ନେଇ କୋର୍ଟ ଡେଥ ୱାରେଣ୍ଟ ଜାରି କରିଥିଲେ । ମାତ୍ର ଅଭିଯୁକ୍ତମାନେ ଆଇନ ବ୍ୟବସ୍ଥାକୁ ଢାଲ କରି ଏହାକୁ ଏଡାଇବାରେ ସଫଳ ହୋଇଥିଲେ । ଏପଟେ ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଏବେ ବି ଆମ ପାଖରେ ନ୍ୟାୟିକ ବିକଳ୍ପ ରହିଛି । ଆମେ ଫାଶୀକୁ ରୋକି ପାରିବୁ । ସେପଟେ ନିର୍ଭୟାଙ୍କ ମା କହିଛନ୍ତି ଏଥର ମୋ ଝିଅ ନ୍ୟାୟ ପାଇବ ।