ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ଦିଲ୍ଲୀର ଝାନ୍ସୀ ରୋଡରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ୪୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ତେବେ ପ୍ରାଥମିକ ଅନୁସନ୍ଧାନରୁ ଜଣା ପଡିଥିଲା ଏକ ବ୍ୟାଗ ଫ୍ୟାକ୍ଟ୍ରିରୁ ଅଗ୍ନିକାଣ୍ଡ ଚାରି ଆଡକୁ ବ୍ୟାପି ଯାଇଥିଲା । ଏହି ମାମଲାରେ ଫ୍ୟାକ୍ଟ୍ରି ମାଲିକ ରେହେମାନଙ୍କୁ ଗିରଫ କରାଯାଇଛି । ବିଲଡିଂରେ ବହୁଳ ମାତ୍ରାରେ ପ୍ଲାଷ୍ଟିକ ରହିଥିବାରୁ ସର୍ଟ ସର୍କିଟରୁ ନିଆଁ ବ୍ୟାପିଥିଲା ।
ଏହି ଘଟଣାର ତଦନ୍ତ କରି ସପ୍ତାହକ ମଧ୍ୟରେ ରିପୋର୍ଟ ଦେବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବା ବେଳେ ଗୁରୁତର ମାନଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି । ସେହିଭଳି ଦିଲ୍ଲୀ ସରକାର ମୃତକଙ୍କୁ ୧୦ ଲକ୍ଷ ଓ ଗୁରୁତରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ବିଜେପି ଅଧ୍ୟକ୍ଷ ମନୋଜ ତିୱାରୀ ମୃତକଙ୍କ ପରିବାରକୁ ୫ ଲକ୍ଷ ଏବଂ ଆହତଙ୍କୁ ୨୫ ହଜାର ଟଙ୍କା ଘୋଷଣା କରିଛନ୍ତି ।