ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା ପାଇଁ ସାରା ଦେଶ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଲୋକଙ୍କ ପାଖରେ କାମ ନାହିଁକି ଅର୍ଥନାହିଁ । ଫଳରେ ମାସାଧିକ କାଳ ଘରେ ବସି ରହିବା ଫଳରେ ସାଧାରଣ ଲୋକଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇ ଯାଇଛି । ଯାହାଫଳରେ ସହରରେ ଘରଭଡା ନେଇ ରହୁଥିବା ଲୋକଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଛି । ତେବେ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବେ ଦିଲ୍ଲୀ ସରକାର ଏକ କଠିନ କଟକଣା କରିଛନ୍ତି । ଭଡାଟିଆଙ୍କୁ ଆସ୍ୱସ୍ତ କରିବା ପାଇଁ ଏକ ନୂଆ ନିୟମ କରିଛନ୍ତି ।
ଯଦି କୌଣସି ଘର ମାଲିକ ଭଡାଟିଆକଙ୍କୁ ଜୋରଜବରଦସ୍ତ କରି ଘରଭଡା ମାଗନ୍ତି ତେବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ୨ ବର୍ଷ ଜେଲ ଦଣ୍ଡ ସହିତ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ଏକ ନିର୍ଦେଶନାମା ଜାରି କରିଛନ୍ତି । ଏଥିରେ ଘର ମାଲିକ ମାନଙ୍କୁ ସ୍ପଷ୍ଟ ଭାବେ ନିର୍ଦେଶ ଦିଆଯାଇ ଛି । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିର୍ଦେଶ ଦିଆଯାଇଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ୨୦୦୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଲ୍ଲୀରେ ଅଧିକାଂଶ ବାହାର ଲୋକ ଭଡାରେ ରହୁଥିବାରୁ ସରକାର ଏମିତି ନିଷ୍ପତ୍ତି ନେଇଥିବା ଜଣା ପଡିଛି ।