ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ମହାମାରୀ ଚିନ୍ତା । ତେବେ ଏହାର ପ୍ରଭାବ ଭାରତରେ ମଧ୍ୟ ଦେଖା ଯାଇଛି । ଭାରତର ରାଜଧାନୀ ଦିଲ୍ଲୀରେ ଏହାର ପ୍ରଭାବ ସବୁଠାରୁ ଅଧିକ ଦେଖିବା ମିଳିଛି । ଏହାକୁ ନଜରରେ ରଖି ଦିଲ୍ଲୀରେ ବିଶ୍ୱର ସୁଠାରୁ ବଡ କୋଭିଡ କେୟାର ସେଣ୍ଟର ତିଆରି କରାଯାଇଛି । ଏହାର ନାମ ସର୍ଦ୍ଦାର ପଟେଲ କୋଭିଡ କେୟାର ସେଣ୍ଟର ରଖାଯାଇଛି । ଏହି ସେଣ୍ଟରରେ ୧୦ ହଜାର ବେଡ୍ ରହିଛି ।ଏହା ସହ ଏଠାରେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୨୫୦ଟି ଆଇସିୟୁ ରହିଛି।
ଆଜି ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଏହାକୁ ଲୋକାର୍ପିତ କରିଛନ୍ତି । କମ ଲକ୍ଷଣ ଥିବା ଏବଂ ଲକ୍ଷଣ ନଥିବା କରୋନାଭାଇରସ୍ ରୋଗୀଙ୍କ ଚିକିତ୍ସା ପାଇଁ ଛତ୍ରପୁରରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଯେଉଁମାନଙ୍କ ଘରେ ଆଇସୋଲେସନରେ ରହିବାର ସୁବିଧା ନାହିଁ, ସେମାନଙ୍କ ପାଇଁ ମଧ୍ୟ ଏଠାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଜ୍ଝର ସୂଚନା ଯୋଗ୍ୟ ସାରା ଦେଶରେ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷ ୭୩ ହଜାର ୧୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୪୪ ହଜାର ୮୧୪ ସକ୍ରିୟ ମାମଲା ରହିଥିବା ବେଳେ ୪ ଲକ୍ଷ ୦୯ ହଜାର ୦୮୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି । ଏହାସହିତ ଏଥିରେ ଏପର୍ୟ୍ୟନ୍ତ ୧୯ ହଜାର ୨୬୮ ଜଣଙ୍କ ମୃତ୍ୟୁ ହୋଇଛି ।