ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ୨ ସପ୍ତାହ ହେଲା ଲାଗି ରହିଥିବା ମହାନାଟକ ଆଉ ଏକ ନୂଆ ମୋଡରେ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନବିସ । ରାଜ୍ୟପାଳ ଭଗତ ସିଂ ଦେବେନ୍ଦ୍ର ଫଡନବିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମୁମ୍ବାଇରେ ଆଜି ସକାଳ ୮ ଟା ବେଳେ ଏହି ଶପଥପାଠ ହୋଇଛି । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଛନ୍ତି । ଶେଷରେ ସବୁ ସସପେନ୍ସର ଅନ୍ତ ଘଟାଇ ବିଜେପି ଓ ଏନସିପି ମେଣ୍ଟରେ ସରକାର ଗଢା ହୋଇଛି ।
ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ଗତକାଲି ସରକାର ଗଢିବା ପାଇଁ କଂଗ୍ରେସ , ଶିବସେନା ଓ ଏନସିପିର ବୈଠକ ବସିଥିଲା । ଅନୁମାନ କରାଯାଉଥିଲା ଏହି ତିନି ଦଳ ମିଳିତ ସରକାର ଗଢିବେ । ମାତ୍ର ହଠାତ ଆଜି ସକାଳେ ସବୁକିଛି ଓଲଟ ପାଲଟ ହୋଇ ଯାଇଥିଲା । ଏନସିପି ଓ ବିଜେପି ମିଳିତ ସରକାର ଗଠନ କରିଛନ୍ତି । ପ୍ରଥମେ ବିଜେପି ଓ ଶିବସେନା ମେଣ୍ଟରେ ସରକାର ଗଢା ଯିବ ବୋଲି ଜଣା ପଡିଥିଲା । ମାତ୍ର ପରେ ଏଥିରୁ ବିଜେପି ଓହରି ଯାଇଥିଲା । ଯାହା ପରଠୁ ସରକାର ଗଢିବାକୁ ନେଇ ଆରମ୍ଭ ହୋଇଥିଲା ଛକା ପଞ୍ଝା । ଯାହା ଫଳରେ ଏଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା ।