ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ବିଜେପିର ନୂଆ ରାଷ୍ଟ୍ରୀୟ ସଭାପତି ନିଯୁକ୍ତି ପାଇଛନ୍ତି ଜେପି ନଡ୍ଡା । ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଜେପି ନଡ୍ଡା ଜଣେ ସକ୍ରିୟ କର୍ମକ । ତାଙ୍କ ନେତୃତ୍ୱରେ ଦଳ ସଫଳତା ପାଇବ । ଅନ୍ୟପଟେ ଗତକାଲି ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ବିଜେପି ନେତା ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜେପି ନଡ୍ଡା ୨୦୧୪ ମସିହାରେ ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦଭାବେ ରହିଥିବା ବେଳେ ଗତ ୬ ବର୍ଷ ହେଲା ସେ ପାର୍ଟିର କାର୍ୟ୍ୟକାରୀ ଅଧ୍ୟକ୍ଷ ରହିଥିଲେ । ଅମିତ ଶାହାଙ୍କ ପରି ଜେପି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ପୂର୍ବରୁ ଏହି ପଦବୀରେ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହା ରହିଥିଲେ । ସେ ଏବେ ଗୃହମନ୍ତ୍ରୀ ଦାୟିତ୍ୱରେ ରହିଥିବାରୁ ଏହି ପଦବୀ ଏବେ ନଡ୍ଡାଙ୍କୁ ଦିଆଯାଇଛି । ଆଗକୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନରେ ବିଜେପି ଜେପି ନଡ୍ଡାଙ୍କ ନେତୃତ୍ୱରେ ଭଲ ପ୍ରଦର୍ଶନ କରିବ ବୋଲି ବିଜେପି ନେତୃତ୍ୱ ମଣ୍ଡଳି ଆଶା ରଖିଛନ୍ତି ।