ହାଇଦ୍ରାବାଦ ( ଏଟିଆର ବ୍ୟୁରୋ): ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ହତ୍ୟାକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ସାଧାରଣରେ ଦାବି ହେଉଛି । ତେବେ ଏହି ଭିତରେ ପୋଲିସ ବିଭାଗ ଏକ ବଡ ପଦକ୍ଷେପ ନେଇଛି । ଏହି ଘଟଣାରେ ବର୍ତ୍ତମାନ ଜଣେ ପୋଲିସ ଏସଆଇଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ମୃତକଙ୍କ ମାଙ୍କ ବୟାନକୁ ଭିତ୍ତି କରି ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରିୟଙ୍କାଙ୍କ ମା ଅଭିଯୋଗ କରିଛନ୍ତି ସାଇବରାବାଦ ପୋଲିସ ତାଙ୍କୁ ବାରମ୍ଭାର ଥାନାକୁ ଦୌଡାଇଥିଲା । ସେ କହିଛନ୍ତି ଘଟଣା ଦିନ ମୋ ସାନ ଝିଅ ସେଠାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ । ମାତ୍ର ସେମାନେ ତାକୁ ଶମସାବାଦ ପଠାଇଥିଲା । ସାଇବରାବାଦ ପୋଲିସ କହିଥିଲା ଏହା ତାଙ୍କ ଥାନା ଅନ୍ତର୍ଭୁକ୍ତ ନୁହେଁ । ପୋଲିସ ଯଦି ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ହୁଏତ ତାଙ୍କ ଝିଅ ବଞ୍ଚି ଯାଇଥାନ୍ତା ।