ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଚାକିରୀ ଛାଡିବାରୁ ଦୁଇ ଦିନ ମଧ୍ୟରେ ହେବ ଫୁଲ୍ ଆଣ୍ଡ ଫାଇନାଲ ସେଟଲମେଣ୍ଟ । ଏବେ କର୍ମଚାରୀ ମାନେ କମ୍ପାନୀ ଛାଡିବା ପରେ ସେମାନଙ୍କ ସେଟଲମେଣ୍ଟ ପାଇଁ ଆଉ ମାସେ ମାସେ ଧରି ଅପେକ୍ଷା କରିବେ ନାହିଁ । ନୂତନ ୱେଜ୍ କୋଡ୍ ୨୦୧୯ ଲାଗୁ ହେବା ପରେ ଏଭଳି ହୋଇଯିବ ।
ସରକାରଙ୍କ ପକ୍ଷରୁ ଏହି ନୂତନ ୱେଜ୍ କୋଡକୁ ଅଗଷ୍ଟ ୮ ତାରିଖରେ ଅଧିସୂଚିତ କରାଯାଇଥିଲା । ବର୍ତ୍ତମାନ ୧୯୩୬ର ପେମେଣ୍ଟ ଅଫ୍ ୱେଜ୍ ଆକ୍ଟ ଲାଗୁ ଅଛି, ଯେଉଁଥିରେ କମ୍ପାନୀ ର ଫୁଲ୍ ଆଣ୍ଡ ଫାଇନାଲ ସେଟଲମେଣ୍ଟ କରିବା ଲାଗି କୌଣସି ସମୟ ସୀମା ନିର୍ଦ୍ଧାରିତ କରାଯାଇ ନାହିଁ । ଅନେକ ସମୟରେ କର୍ମଚାରୀଙ୍କୁ ଏକ ମାସରୁ ତିନି ମାସ ଯାଏଁ ସେଟଲମେଣ୍ଟପାଇଁ ଅପେକ୍ଷା କରିବାକୁ ପଡୁଥିଲା ।
ନୂତନ କୋଡ ମୁତାବକ, ଯଦି କୌଣସି କମ୍ପାନୀ ତାଙ୍କ କର୍ମଚାରୀଙ୍କୁ ଚାକିରୀରୁ ବାହାର କରି ଦେଉଛନ୍ତି, କିମ୍ବା କୌଣସି କର୍ମଚାରୀ ଇସ୍ତଫା ଦେଉଛନ୍ତି, ନଚେତ୍ କୌଣସି କାରଣରୁ କମ୍ପାନୀ ବନ୍ଦ ହୋଇଯାଉଛି ତେବେ କମ୍ପାନୀ ଦୁଇ ଦିନ ମଧ୍ୟରେ ଫୁଲ୍ ଆଣ୍ଡ ଫାଇନାଲ ସେଟଲମେଣ୍ଟ କରିବ । ସେହିପରି ଅସଂଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ବି ନୂତନ ୱେଜ୍ କୋଡ୍ ର ଫାଇଦା ମିଳିବ । ଏହି କୋଡ୍ ବିଲ୍ କୁ ସଂସଦରେ ପାସ୍ କରାଯାଇଛି, କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୁହାଯାଇ ନାହିଁ କି ଏହାକୁ କେବେଠାରୁ ଲାଗୁ କରାଯିବ । ସେପଟେ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ୱେବସାଇଟରେ ଡାଫ୍ଟ କରାଯାଇଛି ।
୩୦ ଜୁଲାଇ ୨୦୧୯ ଲୋକସଭାରେ ୱେଜ୍ କୋଡ୍ ବିଲ୍ କୁ ମଞ୍ଜୁରୀ ମିଳିଥିଲା । ଏହାପରେ ଅଗଷ୍ଟ ମାସ ୨ ତାରିଖରେ ଏହି ବିଲ୍ ରାଜ୍ୟସଭାରେ ପାରିତ କରାଗଲା । ଏହି ବିଲ୍ ସରକାରଙ୍କୁ ଶ୍ରମିକଙ୍କ ପାଇଁ ନ୍ୟୁନତମ ବେତନ ଲାଗୁ କରିବାରେ ସହାୟକ ହେବ । ଏହାସହିତ କର୍ମଚାରୀଙ୍କ ବେତନ ବିଳମ୍ବ ସମସ୍ୟା ଦୂର କରିବାରେ ସହାୟକ ହେବ ।