ଜାମ୍ମୁ କାଶ୍ମୀର (ଏଟିଆର ବ୍ୟୁରୋ ) ; ଭାରତୀୟ ସେନାକୁ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୩ ଆତଙ୍କୀ । ଏମାନଙ୍କ ମଧ୍ୟରେ ଦ୍ୁର୍ଦ୍ଦାନ୍ତ ଆତଙ୍କବାଦୀ ତଥା ଅନସାରୀ ଘାଜୱାତ – ଉଲ – ହିନ୍ଦ ଆତଙ୍କୀ ସଂଗଠନର ଦ୍ୱିତୀୟ କମାଣ୍ଡର ଜାକିର ମୁସା ମଧ୍ୟ ପ୍ରାଣ ହରାଇଛି । ଜାମ୍ମୁ କାଶ୍ମୀରରେ ଆଜି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀଙ୍କୁ ଭାରତୀୟ ସେନା ଗୁଳି କରି ହତ୍ୟା କରିଥିବା ଜଣାପଡିଛି । ତେବେ ଆଜିର ଦିନରେ ମୃତ୍ୟୁ ହୋଇଥିବା ୩ ଜଣ ଆତଙ୍କବାଦୀଙ୍କୁ ମିଶାଇଲେ ଗତ ଏକ ସପ୍ତାହ ମଧ୍ୟରେ ମୋଟ ୨୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛିି ।
ଆଜି ସକାଳ ସମୟରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲା ତ୍ରାଲ ଅଞ୍ଚଳରେ ଗୁଳି ବିନିମୟ ଘଟିଥିଲା । ସମ୍ପୃକ୍ତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ଭାରତୀୟ ସେନା ଅପରେସନ ଆରମ୍ଭ କରିଥିଲା । ତେବେ ଅପରେସନ ଚାଲୁଥିବା ବେଳେ ପ୍ରଥମେ ଆତଙ୍କବାଦୀ ମାନଙ୍କ ପକ୍ଷରୁ ସେନା ଉପରକୁ ଗୁଳି ମାଡ କରାଯାଇଥିଲା । ତେବେ ଏହାର ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଗୁଳିମାଡ ସମୟରେ କମାଣ୍ଡର ଜାକିର ମୁସାର ମୃତ୍ୟୁ ହୋଇଛି । ତେବେ ଜାକିର ମୃତଦେହ ପାଖରେ ବିପୁଳ ପରିମାଣରେ ଗୁଳି ସମେତ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।
ସେପଟେ କୁଲଗ୍ରାମରେ ମଧ୍ୟ ସମାନ ଧରଣର ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ଏହି ଗୁଳିବିନିମୟରେ ରାଷ୍ଟ୍ରୀୟ ରାଇଫଲର ଜଣେ ଯବାନ ମଧ୍ୟ ସହୀଦ ହୋଇଛନ୍ତି । ସେପଟେ ଗତ ଏକ ସପ୍ତାହ ମଧ୍ୟରେ ଜାମ୍ମୁ କାଶ୍ମୀର ଅଞ୍ଚଲରେ ହୋଇଥିବା ଅପରେସନରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବହୁ ସଫଳତା ମିଳିପାରିଛି । ଏକ ସପ୍ତାହ ମଧ୍ୟରେ ମୋଟ ୨୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି ସେନା ।