ଜାମ୍ମୁ କାଶ୍ମୀର (ଏଟିଆର ବ୍ୟୁରୋ ) ; ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାକୁ ମିଳିଲା ସଫଳତା । ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଲେ ୫ ଜଣ ଆତଙ୍କବାଦୀ । ଜାମ୍ମୁ କାଶ୍ମୀରର ଶୋପିଆନ ଜିଲ୍ଲାରେ ଗତକାଲି ହୋଇଥିବା ଅପରେସନରେ ଭାରତୀୟ ସୁରକ୍ଷା କର୍ମୀ ବିଭିନ୍ନ ସଂଗଠନ ସହ ଜଡିତ ଥିବା ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ଗୁଳି କରିଛି ।
ଗତକାଲି ସ୍ଥାନୀୟ କପରନ ବାଟଗୁଣ୍ଡରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ଅପରେସନ ଆରମ୍ଭ କରିଥିଲା ସେନା । ଏହାପରେ ଆତଙ୍କବାଦୀ ଓ ସେନା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୫ ଜଣ ଆତଙ୍କବାଦୀ ସେନା ଗୁଳିରେ ନିହତ ହୋଇଥିବା ଜଣାପଡିଛି । ସେପଟେ ଏବେ ବି ସ୍ଥାନୀୟ ଅଞ୍ଚଳରେ ଅନେକ ଆତଙ୍କବାଦୀ ଲୁଚି ରହିଥିବା ଜଣା ପଡିଛି । ଏଥିପାଇଁ ସେନା ପକ୍ଷରୁ ଏବେ ମଧ୍ୟ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଏ ତୋଏବାର ଜଣେ କମାଣ୍ଡର ରହିଥିବା ବେଳେ ହିଜବୁଲ ମୁଜାହିଦ୍ଦିନର ଦୁଇଜଣ କମାଣ୍ଡର ସାମିଲ ଅଛନ୍ତି । ଖାଲି ସେତିକି ନୁହେଁ ପାକିସ୍ତାନର ବି ଦୁଇଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି ।
ସୂଚନାଯୋଗ୍ୟ , ଗତ ମଙ୍ଗଳବାର ଦିନ ଏହି ଶୋପିଆନ ଜିଲ୍ଲାର ନଦୀଗାମ ଗ୍ରାମରେ ୪ ଜଣ ଆତଙ୍କବାଦୀଙ୍କୁ ସେନା ଗୁଳି କରି ହତ୍ୟା କରିଥିଲେ । ଏହି ଅପରେସନ ଜାମ୍ମୁକାଶ୍ମୀର ପୋଲିସ ଓ ସିଆରପିଏଫ ପକ୍ଷରୁ କରାଯାଇଥିଲା । ତେବେ ଏହି ଅପରେସନରେ ଜଣେ ଭାରତୀୟ ଯବାନ ସହୀଦ ହୋଇଥିବା ବେଳେ ୩ ଜଣ ଆହତ ହୋଇଥିଲେ । ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଆତଙ୍କବାଦୀ ମାନେ ସୀମା ପାର ହୋଇ ଭାରତୀୟ ମାଟିରେ ପ୍ରବେଶ କରିବାକୁ ଉଦ୍ୟମ କରିଆସୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଆତଙ୍କବାଦୀ ମାନଙ୍କୁ କଡା ଜବାବ ଦିଆଯାଉଛି । ଆଗକୁ ସୁରକ୍ଷା ବ୍ୟବସ୍ଥା ଆହୁରୀ କଡାକଡି କରାଯିବା ସହ ଆତଙ୍କବାଦୀ ସୀମା ମଧ୍ୟକୁ ପ୍ରବେଶ ଉପରେ ରୋକ ଲଗାଯିବା ନେଇ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି ।