ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ସାଧାରଣ ଲୋକ ମଧ୍ୟ ଶସ୍ତାରେ କରିପାରିବେ ନିଜର ଚିକିତ୍ସା । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଗଲା ପଦକ୍ଷେପ । କର୍ମଚାରୀ ରାଜ୍ୟ ବିମାନ ନିଗମ (ଇଏସଆଇସି)ର ହସ୍ପିଟାଲରେ ଏବେ ସାଧାରଣ ଲୋକମାନେ ମଧ୍ୟ ଶସ୍ତାରେ ନିଜ ଚିକିତ୍ସା କରାଇ ପାରିବେ । ଏଥିରେ ହସ୍ପିଟାଲକୁ ଆସୁଥିବା ସମସ୍ତ ଲୋକଙ୍କୁ ସାଧାରଣ ମୂଲ୍ୟରେ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇଛି । ଆଗରୁ ମଧ୍ୟମ ଧରଣର ଲୋକମାନେ ନିଜର ଚିକିତ୍ସା ଲାଗି ବେସରକାରୀ ହସ୍ପିଟାଲରେ ବହୁତ ପରିମାଣରେ ଟଙ୍କା ଦେଇ ନିଜକୁ ଚିକିତ୍ସା କରାଉଛନ୍ତି । ଏହାସହ ଗରିବ ଲୋକମାନେ ଗାଁରୁ ଆସି ସବୁ ସରକାରୀ ହସ୍ପିଟାଲରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହେଉଛନ୍ତି । ଲୋକଙ୍କ ସୁବିଧା ଓ ଅସୁବିଧାକୁ ଆଖି ଆଗରେ ରଖି ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି ।
ଇଏସଆଇସି ତରଫରୁ ସାରା ଦେଶରେ ୧୫୦ ହସ୍ପିଟାଲ ରହିଥିିବା ବେଳେ ୧୫୦୦ରୁ ଉଦ୍ଧ୍ୱର୍ ଔଷଧାଳୟ ରହିଛି । ଏହି ହସ୍ପିଟାଲ ଓ ଔଷଧର ସୁବିଧା ସେଇମାନଙ୍କୁ ମିଳୁଥିଲା, ଯେଉଁମାନେ ଏହି ସଂସ୍ଥାରେ ଚାକିରୀ କରୁଥିଲେ କିମ୍ବା ଏହି ଯୋଜନାରେ ତାଲିକାଭୁକ୍ତ ସଦସ୍ୟ ହୋଇଥିଲେ । ହସ୍ପିଟାଲ ପକ୍ଷରୁ ଏହି ସୁବିଧା ଲାଗୁ ହେବା ପରେ ସାଧାରଣ ଲୋକଙ୍କ ପାଇଁ ଭିଜିଟ୍ ଚାର୍ଜ ହେଉଛି ୧୦ଟଙ୍କା । ଯାହା ଜଣେ ସାଧାରଣ ଲୋକ ପକ୍ଷରେ ସମ୍ଭବ ହୋଇପାରିବ । ଆଉ ଅଧିକାଂଶ ଚିକିତ୍ସା ପାଇଁ ଏହା ସେଣ୍ଟ୍ରାଲ ଗଭରମେଣ୍ଟ ହେଲଥ ସ୍କିମ ହସ୍ପିଟାଲ ମୂଲ୍ୟର ଏକ ଚତୁର୍ଥାଂଶ ଦେୟ ନିଆଯିବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି ।
ଏହାସହ ଔଷଧାଳୟରେ ଦିଆଯାଉଥିବା ଔଷଧ ଗୁଡିକର ରେଟ ବଦଳରେ ନିର୍ଦ୍ଧାରିତ ମୂଲ୍ୟ ହିସାବରେ ଦିଆଯିବ ।
ଅନ୍ୟପଟେ ହସ୍ପିଟାଲ ପକ୍ଷରୁ ଶୀଘ୍ର ଡାକ୍ତର ଓ ନର୍ସଙ୍କ ଖାଲିଥିବା ପଦବୀ ପୂରଣ ହେବ ବୋଲି ଇଏସଆଇସି ପକ୍ଷରୁ କୁହାଯାଇଛି । ଡାକ୍ତରଙ୍କ ପଦବୀ ୫୨୦ ରହିଥିବା ବେଳେ ୨,୭୬୮ଟି ପଦବୀ ପାରାମେଡିକାଲ ଓ ନର୍ସଙ୍କ ପଦବୀ ରହିଛି । ଏହାସହ ଶୀଘ୍ର ଏହି ସେବାର ଆରମ୍ଭ ହେବ ବୋଲି ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।