ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା କୋପ । କରୋନାରୁ ରକ୍ଷା ପାଇଁ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ ଦ୍ୱାରା କରାଯାଇଥିବା ଗାଇଡଲାଇନ ର ସମୟସୀମାକୁ ବୃଦ୍ଧି କରାଯାଇଛି । ଦେଶରେ ଏବେ ମାର୍ଚ୍ଚ ୩୧ ଯାଏଁ କରୋନା ଗାଇଡଲାଇନ ଲାଗୁ ରହିବ । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ।
ଗୃହ ମନ୍ତ୍ରାଳୟ କହିଛି କି, କରୋନା ଭାଇରସ ଗାଇଡଲାଇନ କଡାକଡି ଭାବେ ପାଳନ କରିବା ଉଚିତ୍ । ସମ୍ବନ୍ଧିତ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ଦିଶାନିର୍ଦ୍ଦେଶ ପାଳନ କରି ସମସ୍ତ ଗତିବିଧିକୁ ଅନୁମତି ଦିଆଯାଇଛି । ପଡୋଶୀ ଦେଶକୁ ବ୍ୟବସାୟ ପାଇଁ ଲୋକଙ୍କ ଯିବା ଆସିବା ଏବଂ ଜିନିଷ ଆଦାନ ପ୍ରଦାନରେ କୌଣସି କଟକଣା ନାହିଁ ।
କରୋନାରୁ ରକ୍ଷ ପାଇବା ପାଇଁ ଜାନୁଆରୀ ୨୭ ରେ ଗାଇଡଲାଇନ ଜାରି କରାଯାଇଥିଲା । ସେହି ଅନୁସାରେ ଶତପ୍ରତିଶତ ଦର୍ଶକଙ୍କ ସହିତ ସିନେମା ହଲ ଖୋଲିବାକୁ ଅନୁମତି ରହିଛି । ଗୋଟେ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସାମଗ୍ରୀ ପରିବହ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ସ୍ୱିମିଙ୍ଗପୁଲ ବ୍ୟବହାର ପାଇଁ ମଧ୍ୟ ଅନୁମତି ରହିଛି ।
ଅନ୍ୟପଟେ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ସ୍ଥଗିତାଦେଶର ଅବଧି ୩୧ ମାର୍ଚ୍ଚକୁ ବୃଦ୍ଧି କରିଛି। କୋଭିଡ -୧୯ ମହାମାରୀ ହେତୁ ଗତ ବର୍ଷ ମାର୍ଚ୍ଚ ୨୩ ରୁ ଅନୁସୂଚିତ ଆନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖାଯାଇଛି।