ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ବଡ ପେଟ୍ରୋଲିୟମ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟିଡେ (ବିପିସିଏଲ) ଏବଂ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଖୁବ୍ ଶୀଘ୍ର ବିକ୍ରି ହେବାକୁ ଯାଉଛି । ଏହି ଦୁଇ କମ୍ପାନୀ ଖୁବ୍ କମ୍ ସମୟ ମଧ୍ୟରେ ଘରୋଇ କମ୍ପାନୀରେ ପରିଣତ ହେବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୟାନ ଦେଇଛନ୍ତି ।
ନିର୍ମଳା ସୀତାରମଣ କହିଛନ୍ତି କି, ଏହି ଦୁଇ ସରକାରୀ କମ୍ପାନୀ ବିକ୍ରି ହେବା ଦ୍ୱାରା ଚଳିତ ଆର୍ଥିକ ବର୍ଷରେ ସରକାରଙ୍କୁ ଏକ ଲକ୍ଷ କୋଟି ଟଙ୍କାର ଫାଇଦା ହେବ । ସେପଟେ ଏୟାର ଇଣ୍ଡିଆ ବିକ୍ରି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ଗତ ବର୍ଷ ନିବେଶକଙ୍କ ଉତ୍ସାହ ଏତେ ମାତ୍ରାରେ ଦେଖିବାକୁ ମିଳିନଥିଲା । ଚଳିତ ଆର୍ଥିକ ବର୍ଷରେ କର ସଂଗ୍ରହ କରିବାରେ ଘାଟା ହୋଇଛି । ଅକ୍ଟୋବର ମାସରେ ଜିଏସଟି ସଂଗ୍ରହ ଏକ ଲକ୍ଷ କୋଟି ଟଙ୍କାରୁ କମ ରହିଛି । ଗତ ମାସ ତୁଳନାରେ ଏହା ୫.୨୯ ପ୍ରତିଶତ କମ ରହିଛି ।ସେଥିପାଇଁ ଷ୍ଟ୍ରାଟେଜିକ ସେଲ ଜରିଆରେ ସରକାର ରେଭିନ୍ୟୁ ଏକାଠି କରବାକୁ ଚାହୁଁଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ପାଇଁ ସରକାର ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଏବେ ମାନ୍ଦାବସ୍ଥା ଦୂର କରାଯାଉଛି । ଏହାସହିତ ଅନେକ ଇଣ୍ଡଷ୍ଟ୍ରୀ ମାଲିକଙ୍କ ବାଲାନ୍ସ ସିଟ୍ ରେ ସୁଧାର ଆଣିବା ପାଇଁ କୁହାଯାଇଛି ଏବଂ ନିବେଶକଙ୍କ ପ୍ରସ୍ତୁତି ମଧ୍ୟ ଚାଲିଛି ।