ମୁମ୍ବାଇ (ଏଟିଆର ବ୍ୟୁରୋ) : ପୁଣି ହସ୍ପିଟାଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ହସ୍ପିଟାଲ କ୍ୟାମ୍ପସ । ଧୁଆଁ ଏମିତି ବ୍ୟାପୁଛି ଯେ ପୁରା ହସ୍ପିଟାଲ ଏବେ ଅନ୍ଧାର ଘେରରେ । ଫସି ରହିଛନ୍ତିି ଶତାଧିକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ । ସୋମବାର ସନ୍ଧ୍ୟାରେ ଏମିତି ଏକ ଘଟିଛି ମୁମ୍ବାଇ ଅନେ୍ଧରୀସ୍ଥିତ ଇଏସ ଆଇସି ହସ୍ପିଟାଲରେ । ତେବେ ନିଆଁ ଲାଗିବାର କାଣଣ ଏଯାବତ୍ ଜଣାପଡିନଥିବା ବେଳେ ଘଟଣାକୁ ନେଇ ଏବେ ପୂରା ହସପିଟାଲ ପରିସରରେ ଆତଙ୍କ ଖେଳିଯାଇଛି ।
କୁହାଯାଉଛି ସଟସର୍କିଟ ଯୋଗୁ ଏଭଳି ଅଘଟଣ ଘଟିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଯଥା ସମ୍ଭବ ପ୍ରୟାସ ଚଳାଇଛି ଅଗ୍ନିଶମ ବିଭାଗ । ନିଆଁକୁ ଆୟତ୍ତ କରିବା ଲାଗି ଏବେ ୯ଟି ଦମକଳ ଗାଡି ନିୟୋଜିତ ହୋଇଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଛନ୍ତି କି’ ନାହିଁ ସେନେଇ କୌଣସି ସୂଚନା ମିଳିନାହିଁ । ସେପଟେ ନିଆଁ ଯେଭଳି ଭାବେ ବ୍ୟାପୁଛି ଏହା ଭୟାନକ ରୂପ ନେବାର ଆଶଙ୍କା ରହୁଛି । ଯୁଦ୍ଧକାଳୀନ ଭିତ୍ତିରେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରହିଛି ।
ହେଲେ ଶେଷ ଖବର ମୁତାବକ ନିଆଁ ଆୟତ୍ତକୁ ଆସିନାହିଁ । ତେବେ ହସପିଟାଲରେ ଏଭଳି ଅଘଟଣ ପ୍ରଥମ ନୁହେଁ । ପୂର୍ବରୁ କୋଲକତା ଓ ଓଡିଶାରେ ମଧ୍ୟ ଏଭଳି ଅଘଟଣ ଘଟି ଅନେକଙ୍କ ଜୀବନ ଯାଇଛି । ଏବେ ପୁଣି ମୁମ୍ବାଇ ଭଳି ସିଟିରେ ଏମିତି ଅଘଟଣ ସମସ୍ତଙ୍କୁ ତାଜୁବ କରିଛି । ପ୍ରଶ୍ନ ଉଠିଛି ଏଠି ବି କ’ଣ ରହିଥିଲା ଏମିତି ତୃଟି । କାହିଁକି ହେଲା ସଟସର୍କିଟ? ନିୟମିତ ଯାଞ୍ଚ ହେଉଥିଲା ତ’ ବିଦ୍ୟୁତ ଉପରକରଣ? କେବଳ ଏତିକି ନୁହେଁ ଫାୟାର ସ୍ପ୍ରିଙ୍କଲର କାମ କରୁଛି ତ?
ଏମିତି ଅନେକ ପ୍ରଶ୍ନ ଏବେ ଉଠୁଥିବା ବେଳେ ଏହାର ତଦନ୍ତ ଆଗକୁ ହେବ ବୋଲି ଫାୟାର ବିଭାଗ ପକ୍ଷରୁ ସୂଚନା ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ ନିଆଁକୂ ଆୟତ୍ତ କରିବା ଲାଗି ଉଭୟ ପୁଲିସ ଓ ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛନ୍ତି ।