ନୂଆଦିଲ୍ଲୀ ( ଏଟିଅର ବ୍ୟୁରୋ): ତେଲେଙ୍ଗାନାରେ ଟିଆରଏସ ବିଧାୟକଙ୍କ ଭାଇ ବନଅଧିକାରୀଙ୍କୁ ମାଡ ମାରିବା ଘଟଣାକୁ ନେଇ ଏବେ ମୁହଁ ଖୋଲିଛନ୍ତି ଖୋଦ ମାଡ ଖାଇଥିବା ଅଧିକାରୀ ଜଣଙ୍କ । ସେ ନିଜେ କହିଛନ୍ତି ତାଙ୍କ ଜୀବନ ପ୍ରତି ଏବେ ବିପଦ ରହିଛି ବୋଲି । କଧାଜ ନଗର ବନ ରେଞ୍ଜ ଅଫିସର ଚୋଲେ ଅନୀତାଙ୍କୁ ସାସାଲା ଗାଁରେ ଟିଆରଏସ ନେତା ଏବଂ କୋନରୁ କୃଷ୍ଣ ରାଓ ଠେଙ୍ଗାରେ ଆକ୍ରମଣ କରିଥିଲେ । ଅଧିକାରୀ ଜଣଙ୍କ ନିଜ କର୍ମଚାରୀ ମାନଙ୍କ ସହିତ ସେଠାକୁ ବନୀକାରଣ କରିବା ପାଇଁ ଯାଇଥିବା ସମୟରେ ସେଠାରେ ଲୋକମାନେ ବିରୋଧ କରିଥିଲେ ।
ଲୋକମାନଙ୍କୁ ବୁଝା ସୁଝା କରିବା ସମୟରେ ବିଧାୟକଙ୍କ ଭାଇଙ୍କ ସମେତ ଅନ୍ୟ ମାନେ ବନ ଅଧିକାରୀଙ୍କ ଉପରକୁ ଆକ୍ରମଣ କରିଥିଲେ । ଏମିତି କି ଖୋଦ ବିଧାୟକଙ୍କ ଭାଇ ଠେଙ୍ଗାରେ ଆକ୍ରମଣ କରୁଥିବା ସମୟର ଏକ ଭିଡିଓ ମଧ୍ୟ ସୋସାଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଘଟଣାକୁ ନେଇ ଶ୍ରୀ ରାଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପରେ ରାଓଙ୍କ ସହିତ ୧୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସେହିଭଳି ଆକ୍ରମଣର ଶିକାର ହୋଇଥିବା ଅନୀତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କଧାଜର ହସପିଟାଲରୁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି ।
ଏହି ଅବସରରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ଅନୀତା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି “ ମୋତେ ସେମାନଙ୍କୁ ବହୁତ ଡର ଲାଗୁଛି । ଜେଲରୁ ଆସିବା ପରେ ସମାନେ ମୋର ହତ୍ୟା କରି ପାରନ୍ତି । ମୁଁ ଏବେ ବହୁତ ଭୟଭୀତ ଅଛି’ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛିନ୍ତି ସେ ଆଦିବାସୀଙ୍କୁ ବନ ବିଭାଗ ଅଧିକାରୀଙ୍କ ଉପରେ ହମଲା କରିବାକୁ ଉସକାଉଛନ୍ତି । ସେମାନେ ବିଧାୟକଙ୍କ ଛତ୍ର ଛାୟା ତଳେ ଏମିତି କରୁଛନ୍ତି ବୋଲି ସେ କହିଛନ୍ତି ।