ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ । ଡାକ୍ତରଙ୍କ ସୁଚନା ଅନୁସାରେ ଅରୁଣ ଜେଟଲି ଏବେ ସଫ୍ଟ ଟିସୁ ସରକୋମା ରୋଗରେ ପୀଡ଼ିତ। ଏହା ଏକ ପ୍ରକାରର କର୍କଟ ରୋଗ। ଆଗରୁ ଅରୁଣ ଜେଟଲିଙ୍କର କିଡନିର ପ୍ରତ୍ୟାରୋପଣ କରାଯାଇଛି ।
ତା’ଛଡ଼ା ସେ ମଧୁମେହରେ ବି ପୀଡ଼ିତ ଅଚନ୍ତି । ତାଙ୍କ ସ୍ୱାସ୍ଥା ଅବସ୍ଥା ଜଟିଳ ଥିବାରୁ ତାଙ୍କୁ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏମ୍ସରେ ଭେଟିଛନ୍ତି । ଏହି ସମୟରେ ଏମ୍ସରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ଼ ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ମଧ୍ୟ ଉପସ୍ଥିତ ଥିଲେ। ଅରୁଣ ଜେଟଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ଫୁସଫୁସରେ ଜଳ ରହିଥିବାରୁ ନିଃଶ୍ବାସ –ପ୍ରଶ୍ବାସ ନେବାରେ ସମସ୍ୟା ଦେଖା ଦେଇଛି।
ଏଥିଲାଗି ଫୁସଫୁସରୁ ଜଳ ବାହାର କରାଯାଉଛି। ମାତ୍ର ଜଳ ବାହାର କରିବାପରେ ପୁଣି ସେଥିରେ ଜଳ ଭର୍ତ୍ତି ହେଉଛି। ଏହି କାରଣରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଥିବା ସୂଚନା ମିଳିଛି । ଦିଲ୍ଲୀ ଏମ୍ସରେ କର୍କଟ ଓ କିଡ୍ନି ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲି ।