ପଞ୍ଜାବ(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ଏହି ଭାଇରସ ୯ ହଜାରରୁ ଅଧିକ ଲୋକ ଜୀବନ ନେଇ ସାରିଲାଣି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି ଭାରତରେ ୧୪୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଗତକାଲି ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡିଛି । ତେବେ କରୋନା ଭାଇରସରେ ଭାରତରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ମୃତ୍ୟୁ ହୋଇଥିବା ବ୍ୟାକ୍ତିଙ୍କ ବୟସ ୭୨ ବର୍ଷ ବୋଲି ଜଣାପଡିଛି । ପଞ୍ଜାବର ବାଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କ ମୃତ୍ୟୁ ଘଟିଛି । ନିକଟରେ ଜର୍ମାନୀରୁ ଇଟାଲୀ ଦେଇ ଭାରତର ପଞ୍ଜାବ ଫେରିଥିଲେ ସେ ।
ତେବେ ହତାଠ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା ପରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ତାଙ୍କ ଦେହରେ କରୋନା ଭାଇରସ ଅଛି କି ନାହିଁ ସେନେଇ ପରୀକ୍ଷା କରାଯାଇଥିଲା । ଏହି ପରୀକ୍ଷାରେ ତାଙ୍କ ଦେହରେ କରୋନା ଭାଇରସ ଥିବାର ଜଣାପଡିଥିଲା । ତେବେ ବ୍ୟକ୍ତିଙ୍କ ଦେହରେ କରୋନା ଭାଇରସ ଥିବାରୁ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୂର୍ବରୁ ମୁମ୍ବାଇ, କର୍ଣ୍ଣାଟକା ଓ ଦିଲ୍ଲୀରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।