ଗୋଆ (ଏଟିଆର ବ୍ୟୁରୋ ) ; ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମନୋହର । ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ବିଜେପି ନେତା ମନୋହର ପାରିକର ନିଜ ପଦରୁ ଇସ୍ତଫା ଦେବେ । ସେ ଆସନ୍ତା ଦିନେ କିମ୍ବା ଦୁଇଦିନ ମଧ୍ୟରେ ଇସ୍ତଫା ଦେବେ ବୋଲି ଜଣାପଡିଛି । ଏନେଇ ସରକାରୀ ସ୍ତରରେ କୌଣସି ସୂଚନା ମିଳିପାରିନଥିବା ବେଳେ ଦଳୀୟ ସୂତ୍ରରୁ ଏ ଖବର ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ , ଗୋଆର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ପାରିକର ଦୀର୍ଘଦିନ ହେବ ରୋଗରେ ପୀଡିତ ହୋଇ ନିଜ ବାସଭବନରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନ ଆସିବାରୁ ରାଜ୍ୟ ଶାସନରେ ବ୍ୟାପକ ଅନୀୟମିତତା ଅଭିଯୋଗ ଆଣୁଛନ୍ତି ବିରୋଧୀ । ଏହି କାରଣରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତାଫା ଦାବି କରିଛନ୍ତି ବିରୋଧୀ ଦଳର ସଦସ୍ୟ । ଏନେଇ ଆଜି ଗୋଆର ଶହ ଶହ ସାମାଜିକ କର୍ମୀଙ୍କ ସମେତ ବିଭିନ୍ନ ଏନଜିଓ ସଂସ୍ଥା ପକ୍ଷରୁ ପାରିକରଙ୍କ ଇସ୍ତଫା ଦାବି କରାଯାଇ ପଦଯାତ୍ରା ଆରମ୍ଭ କରାଯାଇଛି । ଖାଲି ସେତିକି ନୁହେଁ ସେମାନେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାରିକରଙ୍କ ଇସ୍ତଫା ଦାବି କରିଛନ୍ତି ।
ଅନ୍ୟପଟେ ଏହି ପଦଯାତ୍ରାକୁ ବିରୋଧୀ କଂଗ୍ରେସଙ୍କ ସମେତ ଏନସିପି ଓ ଶିବସେନା ଦଳ ସମର୍ଥନ ଦେଇ ପାରିକରଙ୍କ ଇସ୍ତଫା ଦାବି କରିଛନ୍ତି । ପୂର୍ବରୁ ପାରିକରଙ୍କ ଅନୁପସ୍ଥିତିରେ ଶାସନରେ ଥିବା ଅନ୍ୟ ମନ୍ତ୍ରୀ ମାନେ ରାଜ୍ୟକୁ ଲୁଣ୍ଠନ କରିଥିବା ବିରୋଧୀ ଅଭିଯୋଗ କରିଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା କାରଣରୁ ରାଜ୍ୟସରକାରଙ୍କ ଶାସନ ମଧ୍ୟ ଠିଲା ହୋଇଯାଇଥିବା ବିରୋଧୀ ଅଭିଯୋଗ ଆଣିଥିଲେ । ତେବେ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ବି ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ମନୋହର ପାରିକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ଜଣାପଡିଛି ।
ପ୍ରକାଶ ଥାଉକି , ପାରିକର ଦୀର୍ଘଦିନରୁ ଅସୁସ୍ଥ ହୋଇ ରହିଛନ୍ତି । ତାଙ୍କୁ ଆମେରିକାରେ ଚିକିତ୍ସା କରାଇବା ପରେ ଦିଲ୍ଲୀ ସ୍ଥିତ ଏମସରେ ବି ଭତ୍ତି କରାଯାଇଥିଲା । ତେବେ ଗତ ଅକ୍ଟୋବର ମାସରେ ତାଙ୍କୁ ଅଚାନକ ଏମସରୁ ବାହାରକରାଯାଇ ନିଜ ବାସଭବନକୁ ଅଣାଯାଇଥିଲା । ସେଦିନ ଠାରୁ ପାରିକର ନିଜ ବାସଭବନରେ ରହି ଏମସର ସ୍ୱତନ୍ତ୍ର ଡାକ୍ତରୀ ଟିମ ସହାୟତାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ତାଙ୍କ ଅରୋଗ୍ୟ କମନା କରି ବହୁ ରାଜନୈତିକ ଦଳର ନେତାମାନେ ପାରିକରଙ୍କୁ ଭେଟିବାକୁ ଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ଆସିଥିବା ପରିଲକ୍ଷିତ ହୋଇପାରିନାହିଁ ।