ୟୁପି ( ଏଟିଆର ବ୍ୟୁରୋ): ଆସନ୍ତା ୨୦ ତାରିଖ ମଧ୍ୟରେ ଅଯୋଧ୍ୟା ବାବ୍ରି ମସଜିଦ ଓ ରାମମନ୍ଦିର ମାମଲାର ରାୟ ପ୍ରକାଶ ପାଇପାରେ । ଯାହାକୁ ନେଇ ଏବେ ପୁରା ୟୁପିରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ଏହି ରାୟ ପ୍ରକାଶ ପାଇବା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ଅନୁପ ଚନ୍ଦ୍ର ପାଣ୍ଡେ ଏବଂ ପୁଲିସ ମହାନିର୍ଦେଶକ ଓମ୍ ପ୍ରକାଶ ସିଂହଙ୍କୁ ଡକାଇଛନ୍ତି। ସୂଚନା ଅନୁସାରେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏକ ଆଲୋଚନା ହୋଇପାରେ ।
ରାୟ ପ୍ରକାଶ ପାଇବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଥିର ରହିବ ସେ ନେଇ ଆଲୋଚନା କରି ପାରନ୍ତି । ଅନ୍ୟପଟେ ପୂର୍ବରୁ ଉତ୍ତରପ୍ରଦେଶ ସରକାର ସୋସିଆଲ ମିଡିଆରେ କୌଣସି ପ୍ରକାରର ବିବାଦୀୟ ବୟାନ ଦେବା ଉପରେ ରୋକ ଲଗାଇଛନ୍ତି । ଏହା ସହ ରାଜ୍ୟରେ ସମସ୍ତ ଅପରାଧି ମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗି ସରକାର । ଆକବରପୁର, ତଣ୍ଡା, ଜଲାଲପୁର, ଜଇତପୁର, ଭିତି ଏବଂ ଆଲ୍ଲାପୁରରେ ଅସ୍ଥାୟୀ ଜେଲ୍ ଖୋଲାଯାଇଛି। ଆସନ୍ତା ୧୭ ତାରିଖରେ ପ୍ରଧାନ ବିଚାରପତି ଅବସର ନେବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ଅଯୋଧ୍ୟା ରାୟ ଆସି ପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ବର୍ତ୍ତମାନ ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅଯୋଧ୍ୟାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇ ୧୪୪ ଧାରା ଜାରି କରାଯାଇଛି