ଗୁଜୁରାଟ ( ଏଟିଆର ବ୍ୟୁରୋ): ସାଧାରଣତଃ ଆମ ରାଜ୍ୟରେ ମଦ ପିଇବା କୌଣସି ସାଧୁ ଲୋକର ପରିଚୟ ନୁହେଁ । ନିୟମ ଅନୁସାରେ ମଦ ପିଇବା ଏକ ଧର୍ତ୍ତବ୍ୟ ଅପରାଧ ହୋଇ ନଥିଲେ ମଧ୍ୟ ସର୍ବସାଧାରଣ ସ୍ଥାନରେ ମଦ ପିଇବା ଗ୍ରହଣୀୟ ହୋଇନଥାଏ । ଏମିତି କି ସର୍ବସାଧାରଣ ସ୍ଥାନରେ ମଦ ପିଇଲେ କିମ୍ବା ମଦ ପିଇ ଗାଡି ଚାଳନା କଲେ ଜରିମାନା ଦେବାର ବ୍ୟବସ୍ଥା ରହିଛି । ତେବେ ଆମେ ଆପଣଙ୍କୁ ଏବେ ଏମିତି ଏକ ଗାଁର କାହାଣୀ କହିବୁ ଯେଉଁଠାରେ ମଦ ପିଇବା ସମୟରେ ଧରା ପଡିଲେ ଜରିମାନା ବାବଦରେ ପୁରା ଗାଁ ଲୋକଙ୍କୁ ମଟନ ତରକାରୀ ଦେବାକୁ ପଡିଥାଏ ।
ଗୁଜୁରାଟର ବନାସାକାଂଠ ଜିଲ୍ଲାର ଖାଟିସୀତାରା ନାମକ ଏକ ଗାଁ ରହିଛି ଯେଉଁ ଗାଁରେ ଏହି ବ୍ୟବସ୍ଥା ପ୍ରଚଳିତ ହେଉଛି । ସୂଚନା ଅନୁସାରେ ଗତ ୨୦୧୩ ମସିହା ଠାରୁ ଏହି ଗ୍ରାମବାସୀଙ୍କ ପକ୍ଷରୁ ଏହି ନିୟମ ଲାଗୁ କରାଯାଇଛି । ପାଖାପାଖି ୮୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ଏହି ଗାଁର ନିୟମ ଅନୁସାରେ ଯଦି ଗ୍ରାମର କୌଣସି ବ୍ୟକ୍ତି ମଦ ପିଇବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଧରା ପଡନ୍ତି ତେବେ ସମ୍ଫୃକ୍ତ ବ୍ୟକ୍ତି ପୁରା ଗାଁ ଲୋକଙ୍କୁ ମଟନ ତରକାରୀ ଖାଇବାକୁ ଦେବାକୁ ପଡେ ।
କେବଳ ସେତିକି ନୁହେଁ ଏହା ସହିତ ୨୦୦୦ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡେ । ସୂଚନା ଅନୁସାରେ ପୂର୍ବରୁ ଏହି ଗାଁରେ ଅଧିକାଂଶ ଲୋକ ମଦ ପିଇବାରୁ ଗ୍ରାମରେ ଅଶାନ୍ତି ଦେଖା ଦେଇଥିଲା । ଯାହାକୁ ଦୃଷ୍ଟିରେ ରଖି ଗାଁର ମୁଖିଆ ମାନେ ବସି ଏହି ନିଷ୍ପତ୍ତି ନେଇଥିଲେ । ଥରେ ପୁରା ଗାଁ ଲୋକଙ୍କୁ ଭୋଜି ଦେବାକୁ ହେଲେ ୨୫ ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ହୋଇଥାଏ ।