ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାରେ ପୁଣି ଏକ କରୋନା ରୋଗୀ ଗତକାଲି ଚିହ୍ନଟ ହୋଇଛି । ଏହାକୁ ମିଶାଇ ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରେ ପହଁଚିଛି । ଏହି ତୃତୀୟ କରୋନା ରୋଗୀ ଜଣଙ୍କ ଭୁବନେଶ୍ୱର ସ୍ଥିତ କର କ୍ଲିନିକରେ ଚିକିତ୍ସିତ ହୋଇଥିଲେ । ସେନେଇ କର କ୍ଲିନିକକୁ କାହାରିକୁ ନଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହି ରୋଗୀଙ୍କୁ ଚିକିତ୍ସା କରିଥିବା ସମସ୍ତ ଡାକ୍ତର ଏବଂ ନର୍ସ ତାଙ୍କ ସଂଷ୍ପର୍ଶରେ ଆସିଥିବାରୁ ସେମାନେ ସମସ୍ତଙ୍କୁ ଆଇସୋଲେସନରେ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ତୃତୀୟ କରୋନା ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର । ସେ ଜଣେ ୬୦ ବର୍ଷର ବୃଦ୍ଧ । ଗତ ମାର୍ଚ୍ଚ ୧୦ ତାରିଖରେ ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିଥିଲେ । ଏହାପରେ ସେ ପ୍ରଥମେ ୨୧ ତାରିଖ ଦିନ କର କ୍ଲିନିକକୁ ଯାଇଥିଲେ । ପୁଣି ୨୪ ତାରିଖରେ ଗୋଟେ ଦିନ ପାଇଁ ଆଇସିୟୁ ରେ ଭର୍ତ୍ତି ହୋଇଥିଲେ ।