ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଗାଡିର ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ସରକାର । ଏଣିକି ଗାଡି ସହ ମିଳିବ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ । ଏମିତି ଏକ ନିର୍ଦ୍ଦେଶନାମା ଦେଇଛନ୍ତି ପରିବହନ ମନ୍ତ୍ରଣାଳୟ ।
୨୦୧୯ ଏପ୍ରିଲ୍ ମାସରୁ ବିକ୍ରି ନିମନ୍ତେ ଉଦ୍ଧିଷ୍ଟ ନୂଆ ଗାଡିରେ ହାଇ ସିକ୍ୟୁରିଟି ରେଜିଷ୍ଟେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇବାକୁ ଡିଲର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରାହକଙ୍କୁ ଗାଡି ଯୋଗାଇବା ସମୟରେ ସେଥିରେ ଏଚ୍ଏସ୍ଆରପି ଲଗାଇ ଯୋଗାଇ ଦିଆଯିବାକୁ ସଡକ ପରିବହନ ମନ୍ତ୍ରଣାଳୟ ଅଟୋମୋବାଇଲ୍ ନିର୍ମାତା ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଗାଡି ସବୁ ବିକ୍ରୟ ପୂର୍ବରୁ ଡିଲର ମାନେ ସଂମ୍ପୃକ୍ତ ନମ୍ବର ପ୍ଲେଟ୍ ଗାଡିରେ ଲଗାଇବା ବାଧ୍ୟତାମୂଳକ ବୋଲି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଯାନବାହାନ ନିର୍ମାତା ମାନେ ତୃତୀୟ ରେଜିଷ୍ଟେସନ ମାର୍କ ମଧ୍ୟ ତିଆରି କରିପାରିବେ । ସେଥିରେ ଗାଡିରେ ବ୍ୟବହୃତ କଲର କୋଡିଂ ମଧ୍ୟ ରହିବ । ଗାଡିଟି ସୋରୁମରୁ ଆସିବା ପୂର୍ବରୁ ସ୍ୱୀକୃତିପ୍ରାପ୍ତ ଡିଲରମାନେ ଏହାକୁ ଉଇଣ୍ଡ ସିଲ୍ଡରେ ଲଗାଇବେ । ପୂର୍ବରୁ ସୋରୁମ୍ ଥିବା ଯାନବାହାନ ଗୁଡିକରେ ମଧ୍ୟ ଏହି ନିୟମ ଲାଗୁ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଏଚ୍ଏସ୍ଆରପିର ଗ୍ୟାରେଣ୍ଟି ୫ ବର୍ଷ ରହିବ । ଗାଡି ଥରେ ବାହାରକୁ ଆସିବା ମାତ୍ରେ ତୃତୀୟ ରେଜିଷ୍ଟ୍ରସନ ମାର୍କ ନଷ୍ଟ ହୋଇଯିବ । ରେଜିଷ୍ଟ୍ରସନ ଅଥିରିଟି, ରେଜିଷ୍ଟ୍ରସନ ନମ୍ବର, ଲେଜର ବ୍ରାଣ୍ଡେଡ୍ ପରମାନେଣ୍ଟ ନମ୍ବର ଓ ଚେସିସ୍ ନମ୍ବର ଗାଡି ଚୋରି ବିରୋଧରେ ଅଧିକ ସୁରକ୍ଷା ଦେବ ।