ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜେଏନୟୁ ହିଂସା ଯେମିତି ଥମିବାର ନା ନେଉନି । ଗତ ୫ତାରିଖ ଦିନ ଜେଏନୟୁରେ କିଛି ଦୃର୍ବୁତ୍ତ ମୁଖା ପିନ୍ଧି ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ । ଯାହାକୁ ସାରା ଦେଶରେ ଛାତ୍ର ସଂଗଠନ ସମେତ ବିଭିନ୍ନ ରାଜନୈତିକ ଦଳମାନେ ମଧ୍ୟ ବିରୋଧ କରିଥିଲେ । ତେବେ କିଏ ସେ ଦୃର୍ବୁତ୍ତ ଓ ସେମାନେ କଣ ପାଇଁ ଏହିଭଳି ଘଟଣା ଘଟାଇଥିଲେ ତାହା ଉପରେ ସମପେନ୍ସ ଜାରି ରହିଥିଲା । ଆଜି ପୂରା ଘଟଣାକୁ ନେଇ ନୂଆ ଟ୍ୱିଷ୍ଟ ମିଳିଥିବା ଦେଖିବାକୁ ମିଳିଛି ।
ଗତ ୫ତାରିଖ ଦିନ ଜେଏନୟୁରେ ଘଟିଥିବା ହିଂସା ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି । ହିନ୍ଦୁ ଧର୍ମ ଉପରେ କାର୍ଯ୍ୟ କରୁଥିବା ଏହି ହିନ୍ଦୁ ରକ୍ଷା ଦଳର କର୍ମକର୍ତ୍ତାମାନେ ଜେଏନୟୁରେ ହିସାଂ କରିଥିଲେ ବୋଲି ଏହାର ନେତା ପିଙ୍କି ଚୌଧୁରୀ କହିଛନ୍ତି । ସେ କହିଛନ୍ତି, ଜେଏନୟୁରେ ଏବେ ଦେଶବିରୋଧୀଙ୍କ ପାଇଁ ଆଡ୍ଡା ସ୍ଥଳି ପାଲଟିଛି ଯାହାକୁ ବିରୋଧ କରି ସଂଗଠନର କର୍ମକର୍ତ୍ତାମାନେ ଏହିଭଳି ଆକ୍ରମଣ କରୁଥିବା କହିଛନ୍ତି । ହିନ୍ଦୁ ରକ୍ଷା ଦଳ ପକ୍ଷରୁ ଏକ ଭିଡିଓ ଜାରି କରାଯାଇଛି ।
ଯେଉଁଥିରେ ପିଙ୍କି ଚୌଧୁରୀ କହିଛନ୍ତି ଯେ, ଦିନକୁ ଦିନ ଜେଏନୟୁରେ ଦେଶବିଦ୍ରୋହ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଆମେ କେବେ ହେଲେ ସହ୍ୟ କରିପାରିବୁନାହିଁ । ସେଥିପାଇଁ ଆମେ ଆକ୍ରମଣ କରି ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିବୁ । ତେବେ ଜେଏନୟୁରେ ହୋଇଥିବା ହିଂସା ଘଟଣାର ସମସ୍ତ ଉତ୍ତରଦାୟିତ୍ୱ ଆମେ ଗ୍ରହଣ କରୁଛୁ । ତେବେ ଏହି ଭିଡିଓ ଉପରେ ପୋଲିସ ତାର ତଦନ୍ତ ଜାରୀ ରଖିଥିବା ଜଣାପଡିଛି ।