ଶ୍ରୀନଗର(ଏଟିଆର ବ୍ୟୁରୋ): ଜାମ୍ମୁ –କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଆତଙ୍କବାଦୀ ସଂଗଠନ ଭାରତରେ ବଡ ଧରଣର ଆକ୍ରମଣ କରିବା ଯୋଜନା କରୁଛି । ତେବେ କିଛି ଦିନ ତଳେ ନଭେମ୍ବର ୧ ତାରିଖ ଦିନ କୁପୱାଡା ଜିଲ୍ଲାର ହନ୍ଦୱାଡା ଅଞ୍ଚଳରେ ଆତଙ୍କୀ ସଂଗଠନ ଲଶ୍କର-ଏ-ତୈଏବାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା ସୁରକ୍ଷା ବାହିନୀ । ସେମାନଙ୍କ ପାଖରୁ ୩ଟି ଗ୍ରେନେଡ ଜବତ କରାଯାଇଥିଲା । ୨୧ ରାଷ୍ଟ୍ରୀୟ ରାଇଫଲ ପକ୍ଷରୁ ଅତଙ୍କୀ ବିରୋଧରେ କରାଯାଇଥିବା ଅପରେଶନରେ ଏହି ଅତଙ୍କୀ ମାନଙ୍କୁ ଗିରଫ କରାଯାଇଥିଲା ।
ତେବେ ଆଜି ସୁରକ୍ଷା ବାହିନୀ ପକ୍ଷରୁ ହଜିବୁଲର ୪ ଜଣ ଓଭର ଗ୍ରାଉଣ୍ଡ ୱାର୍କର ମାନଙ୍କୁ ଗିରଫ କରାଯାଇଛି । ଏହି ୪ଜଣ ଆତଙ୍କୀ ସୋପୋରେ ଥିବାର ଖବର ସୁରକ୍ଷା ବାହିନୀକୁ ମିଳିଥିଲା । ଏହା ପରେ ସୁରକ୍ଷା ବାହିନୀ ତରଫରୁ ଆତଙ୍କୀ ମାନଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା । ଅପରେଶନର କିଛି ସମୟ ପରେ ୪ଜଣ ଅତଙ୍କୀଙ୍କୁ ଧରିବାରେ ସଫଳ ହୋଇଥିଲା ସୁରକ୍ଷା ବାହିନୀ । ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଗୋଳାବାରୁଦ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଓଭର ଗ୍ରାଉଣ୍ଡ ୱାର୍କର ଅତଙ୍କୀ ମାନେ ସାଧାରଣ ଲୋକଙ୍କ ଭଳି ଜୀବନ ଯାପନ କରିଥାନ୍ତି । ଯଦି କୌଣସି ଆତଙ୍କବାଦୀ କିଛି କରିବା ପାଇଁ ଭାରତ ମଧ୍ୟକୁ ପ୍ରବେଶ କରନ୍ତି ତେବେ ସେମାନଙ୍କୁ ଏହି ଓଭର ଗ୍ରାଉଣ୍ଡ ୱାର୍କର ମାନେ ସୂଚନା, ଟଙ୍କା, ଅସ୍ତ୍ରଶସ୍ତ୍ର, ସୁରକ୍ଷିତ ଠିକଣାସ୍ଥଳୀ ଆଦିର ବନ୍ଦୋବସ୍ତ କରିଥାନ୍ତି । ଏହି ଓଭର ଗ୍ରାଉଣ୍ଡ ୱାର୍କର ମାନେ ସୁରକ୍ଷା ବାହିନୀଙ୍କ ପାଇଁ ସବୁ ଠାରୁ ବଡ ଚ୍ୟାଲେଞ୍ଜ । କାରଣ ଏମାନଙ୍କୁ ଚିହ୍ନଟ କରିବା ବହୁ କଷ୍ଟ ହୋଇଥାଏ ।