ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ଡିସେମ୍ବର ୧ ରୁ ଦେଶରେ ୫ଟି ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ସିଧା ପ୍ରଭାବ ପକାଇ ପାରେ । ଏହି ନୂତନ ନିୟମ ଆପଣଙ୍କୁ କିଛି କ୍ଷେତ୍ରରେ ଆଶ୍ୱସ୍ତି ଦେଇପାରେ । ସେହିପରି ଯଦି ଆପଣ କିଛି କଥା ଉପରେ ଧ୍ୟାନ ନରଖିବେ ତେବେ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ । ଏଥିରେ ଗ୍ୟାସ ସିଲିଣ୍ଡର, ଇଂସ୍ୟୁରାନ୍ସ ପ୍ରିମିୟମ, ରେଲୱେ, ଏଟିଏମରୁ ଟଙ୍କା ଉଠାଇବାର ନିୟମ ଏବଂ ଟଙ୍କା ନେଣ ଦେଣ ର ନିୟମ ସାମିଲ ଅଛି । ତେବେ ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ବିଷୟରେ ।
ପ୍ରତ୍ୟେକ ମାସ ଆରମ୍ଭରେ ତୈଳ କମ୍ପାନୀ ପକ୍ଷରୁ ଏଲପିଜି ସିଲିଣ୍ଡରର ସମୀକ୍ଷା କରାଯାଇଥାଏ । ସେହିଅନୁଯୟେୀ ଆସନ୍ତାକାଲିଠୁ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ ବଦଳି ଯିବ । ପ୍ରତ୍ୟେକ ରାଜ୍ୟର ଟ୍ୟାକ୍ସ ଭିନ୍ନ ଭିନ୍ନ ହୋଇଥାଏ । ସେହିଅନୁସାରେ ଏଲପିଜି ଦାମରେ ଅନ୍ତର ହୋଇଥାଏ ।
ପଞ୍ଜାବ ନେସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ଆସନ୍ତାକାଲିଠୁ ଏହି ବ୍ୟାଙ୍କର ଏଟିଏମ ଯୋଗେ ଟଙ୍କା ଉଠାଇବାର ଉପାୟ ପରିବର୍ତ୍ତନ ହେବାକୁ ଯାଉଛି । ବ୍ୟାଙ୍କ ତାର ଗ୍ରାହକଙ୍କ ହିତ ଏବଂ ଏଟିଏମରୁ ଟଙ୍କା ଉଠାଇବାକୁ ଅଧିକ ସୁରକ୍ଷିତ କରିବା ପାଇଁ ଏକ ୱାନ ଟାଇମ ପାସୱାଡ ସିଷ୍ଟମ ଲାଗୁ କରିବାକୁ ଯାଉଛି । ସେହିଅନୁଯାୟୀ ଏଟିଏମରୁ ଟଙ୍କା ଉଟାଇବା ବେଳେ ଆପଣଙ୍କ ମୋବାଇଲକୁ ଆସିଥିବା ଓଟିପି ନମ୍ବର ଦେବାକୁ ହେବ । ଏହି ନିୟମ ୧୦ ହଜାର ଟଙ୍କାରୁ ଅଧିକ ଉଠାଣ ଉପରେ ଲାଗୁ କରାଯିବ ।
ଗ୍ରାହକଙ୍କୁ ଭଲ ସୁବିଧା ପ୍ରଦାନ କରିବା ପାଇଁ ଅନେକ ସମୟରେ ନୂତନ ସୁବିଧାର ଘୋଷଣା କରିଥାଏ ଭାରତୀୟ ରିଜର୍ଭ ବ୍ୟାଙ୍କ । ସେହିପରି ଏବେ ଗ୍ରାହକଙ୍କ ପାଇଁ ଆଉ ଏକ ଘୋଷଣା କରିଛି ଆରବିଆଇ । ଆଗାମୀ ମାସରୁ ବ୍ୟାଙ୍କ ଟଙ୍କା ନେଣ ଦେଣ ସହ ଗୁରୁତ୍ୱପୂର୍ଣ୍ଣ ନିୟମର ପରିବର୍ତ୍ତନ କରିବାକୁ ଯାଉଛି । ଅକ୍ଟୋବର ମାସରେ ଆରବିଆଇ, ଆରଟିଜିଏସ ସିଷ୍ଟମକୁ ଡିସେମ୍ବର ୨୦୨୦ ରୁ ୨୪ ଘଣ୍ଟିଆ ଚାଲୁ କରିବାର ଘୋଷଣା କରିଥିଲା । ଅର୍ଥାତ ଆପଣଙ୍କୁ ଡିସେମ୍ବର ମାସରୁ ମୋଟା ଅଙ୍କର ଟଙ୍କା ଟ୍ରାନ୍ସଫର କରିବା ପାଇଁ ବ୍ୟାଙ୍କ ଖୋଲା ବା ବନ୍ଦ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ସାରା ଦେଶରେ ଡିଜିଟାଲ ବ୍ୟାଙ୍କିଂକୁ ବୃଦ୍ଧି କରାଇବା ପାଇଁ ଆରବିଆଇ ଏହି ପଦକ୍ଷେପ ଉଠାଇଛି ।
କରୋନା ସଙ୍କଟ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଯାତ୍ରୀଙ୍କ ପାଇଁ ସ୍ପେଶାଲ ଟ୍ରେନ ଚାଲୁ କରାଯାଇଛି । ଏବେ ପୁଣି ଡିସେମ୍ବର ମାସରୁ ଆଉ କିଛି ସ୍ପେଶାଲ ଟ୍ରେନ ଚଲାଇବାକୁ ଯାଉଛି ରେଲୱେ । ଯାତ୍ରୀଙ୍କୁ ସୁବିଧା ଯୋଗାଇବା ପାଇଁ ଆସନ୍ତା କାଲିଠୁ ଆହୁରି କିଛି ଟ୍ରେନ ପରିଚାଳନା ହେବାକୁ ଯାଉଛି ।