ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶର ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ପ୍ରଥମରୁ ହିଁ ଗ୍ରାହକଙ୍କ ଧ୍ୟାନ ରଖି ଆସିଛି । ସମୟ ଅନୁସାରେ ଗ୍ରାହକଙ୍କ ପାଇଁ ନୂତନ ଘୋଷଣା କରିବା ସହ ଗ୍ରାହକଙ୍କ ନିକଟରେ ସୁବିଧା ପହଁଚାଇବା ଏସବିଆଇ ର ମୂଳ ଲକ୍ଷ । ସେହିପରି କିଛି ଦିନ ହେବ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲାଗିଥିବା ମିନିମମ୍ ବାଲାନ୍ସ ଲିମିଟ୍ କୁ ହଟାଇ ଦେଇଛି ଏସବିଆଇ ।
ପ୍ରକୃତରେ ଏସବିଆଇ ଏବେ ତାର ବ୍ୟାଙ୍କ ସହ ଜଡିତ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜିରୋ ବାଲାନ୍ସ ଉପରେ କୌଣସି ପ୍ରକାରର ଜରିମାନା ଲଗାଇବ ନାହିଁ । ଏହାସହିତ ବ୍ୟାଙ୍କ ପକ୍ଷରୁ ଏସଏମଏସ ଜରିଆରେ ବେଳେବେଳେ ଦିଆଯାଉଥିବା ସେବା ଉପରେ ବି କୌଣସି ପ୍ରକାରର ଶୁଳ୍କ ନିଆଯିବ ନାହିଁ । ଏହାର ଅର୍ଥ ଏବେ ବ୍ୟାଙ୍କ ପକ୍ଷରୁ ଏସଏମଏସ ଜରିଆରେ ଦିଆଯାଉଥିବା ସେବା ଗ୍ରାହକଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା । ଅନ୍ୟପଟେ ଗ୍ରାହକଙ୍କ ସେଭିଙ୍ଗ୍ସ ଆକାଉଣ୍ଟ ଉପରେ ସୁଧ ବି କମ ଦେଇଛି ଏସବିଆଇ ।
ଏହି ଘୋଷଣା ପୂର୍ବରୁ ବ୍ୟାଙ୍କ ପକ୍ଷରୁ ଏକ ଘୋଷଣା କରାଯାଇଥିଲା । ମେଟ୍ରୋ ସହରର ଗ୍ରାହକଙ୍କୁ ବ୍ୟାଙ୍କ ଖାତାରେ ୩୦୦୦ ଟଙ୍କା , ସହରର ଗ୍ରାହକଙ୍କ ପାଇଁ ୨୦୦୦ ଟଙ୍କା ଏବଂ ଗ୍ରାମୀଣ ଅଞ୍ଚଳର ଗ୍ରାହକଙ୍କ ପାଇଁ ୧୦୦୦ ଟଙ୍କା ନ୍ୟୁନତମ ରାଶି ରଖିବାର ଘୋଷଣା କରାଯାଇଥିଲା । ସେହିପରି ଆକାଉଣ୍ଟରୁ ନ୍ୟୁନତମ ରାଶି କମ ହେବା ଦ୍ୱାରା ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡୁଥିଲା ।
ଏସବିଆଇ ର ଦ୍ୱିତୀୟ ନିଷ୍ପତି ଅନୁଯାୟୀ ପ୍ରତ୍ୟେକ ତିନି ମାସରେ ଏସଏମଏସ ସେବା ପାଇଁ ଦିଆଯାଉଥିବା ଶୁଳ୍କ ଦେବାକୁ ପଡିବ ନାହିଁ । ସେହିପରି ବ୍ୟାଙ୍କର ତୃତୀୟ ନିଷ୍ପତି ଗ୍ରାହକଙ୍କ ପାଇଁ କୌଣସି ଝଟକା ଠାରୁ କମ ନୁହେଁ । କାରଣ ସେଭିଙ୍ଗସ ଆକାଉଣ୍ଟଧାରୀଙ୍କ ଜମା ରାଶି ଉପରେ ଦିଆଯାଉଥିବା ସୁଧ ଦର ହ୍ରାସ କରିଛି ବ୍ୟାଙ୍କ ।