ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୨୨ତାରିଖ ବାରବାଟୀରେ ଖେଳା ଯିବାକୁ ଥିବା ଭାରତ – ୱେଷ୍ଟଇଣ୍ଡିଜ ମ୍ୟାଚ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଉଭୟ ଦଳର ଖେଳାଳୀ । ତେବେ ବାରବାଟୀରେ ଖେଳାଯିବାକୁ ଥିବା ତିନି ମ୍ୟାଚ ବିଶିଷ୍ଟ ୱାନଡେ ଅନ୍ତିମ ଦିବାରାତ୍ର ମୁକାବିଲା ଅଟେ । ଏଥିପାଇଁ ବାରବାଟୀରେ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଥିବା ବେଳେ ଟିକେଟ ବିକ୍ରି ମଧ୍ୟ ଶେଷ ପର୍ଯ୍ୟୟରେ ପହଞ୍ଚିଛି । ଗତକାଲି ବିଶାଖାପାଟଣାରେ ମ୍ୟାଚ ଶେଷ କରି ସେଠାରୁ ଆଜି ସକାଳେ ଖେଳାଳିମାନେ ବାହାରି ସିଧା ସଳଖ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଦୁଇ ଦଳର ଖେଳାଳୀମାନଙ୍କୁ ଏୟାରପୋର୍ଟରୁ ସିଧାସଳଖ ହୋଟେଲକୁ କଡା ସୁରକ୍ଷା ବଳୟ ମଧ୍ୟରେ ନିଆଯାଇଥିଲା ।
ଉଭୟ ଦଳର ଖେଳାଳୀମାନଙ୍କ ରହଣୀ ପାଇଁ ମେ ଫେୟାର ହୋଟେଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖେଳାଳୀମାନଙ୍କ ସୁରକ୍ଷା ପାଇଁ ୨୧ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ବାରବାଟୀ ଯିବା ସମୟରେ ଖେଳାଳୀମାନଙ୍କ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚଟି ଡିସେମ୍ବର ୧୫ରେ ଚେନ୍ନାଇ ଠାରେ ଖେଳାଯାଇଥିବା ବେଳେ ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିଜୟ ହାସଲ କରିଥିଲା । ସେହିପରି ୧୮ ତାରିଖ ଦିନ ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଥିଲା । ତେବେ ଉଭୟ ଦଳ ଗୋଟିଏ ଗୋଟିଏ ମ୍ୟାଚ ଜିତି ସାରିଥିବାରୁ ବାରବାଟୀରେ ଖେଳାଯିବାକୁ ଥିବା ଏହି ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୁର୍ଣ୍ଣ ଅଟେ ।