ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୁଣି ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ ଭାରତ । ଗତ ନଭେମ୍ବର ମାସରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲା । ଏହି ଐତିହାସିକ ମ୍ୟାଚ ଇଡେନ୍ ଗାର୍ଡେନରେ ଖେଳାଯାଇଥିଲା । ତେବେ ପୂର୍ବରୁ ବିସିସିଆଇ ଦିବାରାତ୍ର ଟେଷ୍ଟ ମ୍ୟାଚକୁ ଅଣ ଦେଖା କରୁଥିଲା । ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ପରେ ଭାରତ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବା ଲାଗି ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବକୁ ଭାରତ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସମର୍ଥନ କରିଥିଲେ ।
ଯାହା ଫଳରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିଥିଲା । ତେବେ ଏହା ପରେ ଅଷ୍ଟ୍ରେଲିଆରେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବାକୁ ପ୍ରସ୍ତାବ ଦିଆଯାଇଥିଲା । ଏନେଇ କ୍ରିକେଟ ଅଷ୍ଟ୍ରେଲିଆ ପ୍ରତିନିଧି ବିସିସିଆଇ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ । ଏବେ ଏହାକୁ ବିସିସିଆଇ ଗ୍ରହଣ କରିଛି । ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ପ୍ରସ୍ତୁତ ଅଛି ବୋଲି ବିସିସିଆଇ ପକ୍ଷରୁ ସୂଚନା ମିଳିଛି । ସେହିଭଲି ଆସନ୍ତା ବର୍ଷ ଇଂଲଣ୍ଡ ଦଳ ଭାରତ ଗସ୍ତ ବେଳେ ଦିବାରାତ୍ର ଟେଷ୍ଟ ମ୍ୟାଚ ଖେଳିବ ବୋଲି ଜଣାଯଡିଛି ।