ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହୋଲି ପୂର୍ବରୁ ରେଳଯାତ୍ରୀଙ୍କ ପାଇଁ ବଡ ଉପହାର ଆଣିଛି ଭାରତୀୟ ରେଲୱେ । ଯଦି ଆପଣ କୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଟିକେଟ୍ ବୁକ୍ କରି ନେଇଛନ୍ତି, କିନ୍ତୁ ଆପଣ ସେହି ସ୍ଥାନକୁ ଯାଇ ପାରୁ ନାହାନ୍ତି ତେବେ ସେଥିପାଇଁ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ, କାରଣ ଏବେ ଟିକେଟ୍ କ୍ୟାନସଲ କରିବା ପାଇଁ ସମସ୍ୟାରେ ପଡିବାକୁ ପଡିବ ନାହିଁ ।
ଆପଣ ଘରେ ବସି ସହଜରେ ଆପଣଙ୍କ ଟିକେଟକୁ କ୍ୟାନସଲ୍ କରିପାରିବେ । କିନ୍ତୁ ସେଥିପାଇଁ ଆପଣଙ୍କୁ ଏକ ନମ୍ବରରେ କଲ କରିବାକୁ ପଡିବ । ଆଜ୍ଞା ହଁ ରେଲୱେ ପକ୍ଷରୁ ଏକ ନିୟମ ଜାରି କରାଯାଇଛି । ଯଦି ଆପଣ ରେଲୱେ କାଉଣ୍ଟରରୁ କାଟିଥିବା ଟିକେଟକୁ କ୍ୟାନସଲ କରିବାକୁ ଚାହୁଁଛନ୍ତି ତେବେ ରେଲୱେର ହେଲ୍ପଲାଇନ ନମ୍ବର ୧୩୯ କୁ କଲ କରିବାକୁ ପଡିବ ।
ରେଲୱେର ଏହି ହେଲ୍ପଲାଇନ୍ ନମ୍ବରରେ କଲ କରିବା ଦ୍ୱାରା ଘରେ ବସି ଆପଣଙ୍କ ଟିକେଟ କ୍ୟାନସଲ ହୋଇପାରିବ । କିନ୍ତୁ ଟିକେଟର ରିଫଣ୍ଡ ଆଣିବା ପାଇଁ ଆପଣଙ୍କୁ ଷ୍ଟେସନ କାଉଣ୍ଟରକୁ ଯିବାକୁ ପଡିବ ।