ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ଦିନ ହେବ ଚନ୍ଦ୍ରମାର ୩୫ କି.ମି ଦୂରତାରେ ପରିକ୍ରମା କରୁଛି ଚନ୍ଦ୍ରଯାନ-୨ । ଏହା ସେପ୍ଟମ୍ବର ୭ରେ ଚନ୍ଦ୍ରମାରେ ଅବତରଣ କରିବ । ଅବତରଣ ପ୍ରକ୍ରିୟା ଯେତେ ପାଖେଇ ଆସୁଛି ଇସ୍ରୋ ବୈଜ୍ଞାନିକଙ୍କ ହାର୍ଟ ବିଟ୍ ସେତିକି ବଢିବାରେ ଲାଗିଛି । ୯୭୮ କୋଟିର ଏହି ମିଶନ ଉପରେ ଭାରତ ସମେତ ସାରା ଦୁନିଆର ନଜର ରହିଛି । ୧୪୭୧ କିଲୋର ଲାଣ୍ଡର ବିକ୍ରମ ର ସଫ୍ଟ ଲାଣ୍ଡି ଯଦି ସଫଳ ହୁଏ ତେବେ ଦୁନିଆରେ ଏଭଳି କାମ କରୁଥିବା ଚାରି ଦେଶ ମଧ୍ୟରେ ଭାରତ ସାମିଲ ହୋଇଯିବ । ଏପର୍ଯ୍ୟନ୍ତ ଚନ୍ଦ୍ରମାରେ କେବଳ ଆମେରିକା, ଋଷ ଏବଂ ଚୀନ ର ଯାନ ଅବତରଣ କରାଯାଇଛି ।
ବାଙ୍ଗାଲୁରୁ ସ୍ଥିତ ଭାରତୀୟ ଆନ୍ତରୀକ୍ଷ ଅନୁସନ୍ଧାନ ସଂସ୍ଥାନ (ଇସ୍ରୋ) ର ବୈଜ୍ଞାନିକ ମାନେ ଚନ୍ଦ୍ରଯାନ-୨ ର ଅବତରଣ ପ୍ରସ୍ତୁତିକୁ ଅନ୍ତିମ ରୂପ ଦେବାରେ ଲାଗିପଡିଛନ୍ତି । ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଏବେ ସମସ୍ତଙ୍କ ଧ୍ୟାନ ବିକ୍ରମ ର ଗତିବିଧି ଉପରେ ରହିଛି । ଇସ୍ରୋ ଅଧ୍ୟକ୍ଷ କେ.ସିବନ ବି ଏହି ଲାଣ୍ଡିଂକୁ କଷ୍ଟକର ବୋଲି କହିସାରିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋ ରେ ୭୦ ସ୍କୁଲ ପିଲାଙ୍କ ସହ ମିଶି ସଫ୍ଟ ଲାଣ୍ଡିଂର ସିଧାପ୍ରସାରଣ ଦେଖିବେ ।
ଏଭଳି କରାଯିବ ଲାଣ୍ଡିଂ
– ରାତି ୧ ଟାରୁ ୨ଟା ମଧ୍ୟରେ ବିକ୍ରମ ଏବଂ ତା ଭିତରେ ଥିବା ରୋଭର ପ୍ରଜ୍ଞାନକୁ ବୁଷ୍ଟର ପ୍ରୋପଲଶନ୍ ସିଷ୍ଟମ ଜରିଆରେ ଲାଣ୍ଡିଂ ପାଇଁ ପ୍ରସ୍ତୁତ କରାଯିବ ।
– ୧.୩୦ ରୁ ୨.୩୦ ମଧ୍ୟରେ ବିକ୍ରମକୁ ଚନ୍ଦ୍ରମାର ଦକ୍ଷୀଣ ଧୃବରେ ଅବତରଣ କରାଯିବ । ଧୃବର ଏହି ଅଂଶରେ ଆଜି ପର୍ଯ୍ୟନ୍ତ କୌଣସି ଲାଣ୍ଡିଂ କରାଯାଇ ନାହିଁ ।
– ୫.୩୦ ରୁ ୬.୩୦ ମଧ୍ୟରେ ଛଅ ଚକ ବିଶିଷ୍ଟ ୨୭ କିଲୋ ଗ୍ରାମର ପ୍ରଜ୍ଞାନ ଲାଣ୍ଡରରେ ବାହାରିବ । ଏହା ଚନ୍ଦ୍ରମା ପୃଷ୍ଠର ୫୦୦ ମିଟର ଯାଏଁ ଗଡିବ ।
– ଚକରେ ଥିବା ରାଷ୍ଟ୍ରଚିହ୍ନ ଚନ୍ଦ୍ରମା ପୃଷ୍ଠରେ ଅଙ୍କିତ ହୋଇଯିବ ।