ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ ଭାରତୀୟ ସେନାରେ ବଡ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଟପ୍ ଲେଭଲ ଠାରୁ ନେଇ ଅନେକ ପ୍ରମୁଖ ନିଯୁକ୍ତିକୁ ମଞ୍ଜୁରୀ ଦିଆଯିବ । ଯେଉଁ ନୂତନ ପଦ ଉପରେ ନିଯୁକ୍ତିର ପ୍ରସ୍ତୁତି ଚାଲିଛି ସେଥିରେ ଉପ-ସେନା ପ୍ରମୁଖ ଠାରୁ ନେଇ ଶୀର୍ଷ ଆର୍ମି କମାଣ୍ଡର୍ସ ପର୍ଯ୍ୟନ୍ତ ପଦ ସାମିଲ ରହିଛି । ରିପୋର୍ଟ ମୁତାବକ ଏନେଇ ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ।
ସେନାଙ୍କ ସୂତ୍ର ମୁତାବକ, ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଏମଏମ ନରୱାନେଙ୍କୁ ଖୁବ୍ ଶୀଘ୍ର ଉପସେନା ପ୍ରମୁଖ ଦାୟିତ୍ୱ ଦିଆ ଯାଇପାରେ । ଲେଫ୍ଟିନାଂଟ ଜେନରାଲ ନରୱାନେ, ଜେନେରାଲ ଦେବରାଜଙ୍କ ପଦରେ ରହିବେ ଯିଏ ଅଗଷ୍ଟ ୩୧ ଅବସର ନେବେ । ଏହାବ୍ୟତିତ ଆର୍ମି କମାଣ୍ଡର ଲେଫ୍ଟିନାଂଟ ଜେନେରାଲ ରଣବୀର ସିଂହ ସେନା ପ୍ରମୁଖ ରେସ୍ ରେ ଆସି ପାରନ୍ତି । ବର୍ତ୍ତମାନ ଥିବା ସେନା ପ୍ରମୁଖ ବିପିନ ରାୱତ ଡିସେମ୍ବର ଶେଷ ଆଡକୁ ଅବସର ନେବେ, ଆଗାମୀ ଆର୍ମି ଚିଫ୍ ରୂପେ ଲେଫ୍ଟିନାଂଟ ଜେନେରାଲ ସିଂହ ହେବେ ବୋଲି ଶୁଣାଯାଉଛି । ଏହି ରେସ୍ ରେ ଆହୁରୀ ଦୁଇଟି ନାଁ ରହିଛି କିନ୍ତୁ ଜେନେରାଲ ସିଂହଙ୍କ ନାଁ ଆଗରେ ଅଛି । ଜେନେରାଲ ରାୱତଙ୍କର ତିନି ବର୍ଷର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ସେହିପରି ଇଷ୍ଟର୍ଣ୍ଣ ଆର୍ମି କମାଣ୍ଡର ଲେଫ୍ଟିନାଂଟ ଜେନେରାଲ ନରୱାନେଙ୍କ ପରେ ସରକାରଙ୍କ ପକ୍ଷରୁ ଲେଫ୍ଟିନାଂଟ ଜେନେରାଲ ଅନୀଲ ଚୌହାନଙ୍କୁ ଆଗାମୀ ଡାଇରେକ୍ଟର ଜେନେରାଲ ମିଲିଟ୍ରି ଅପରେସନ (ଡିଜିଏମଓ) ରୂପେ ନିଯୁକ୍ତି କରା ଯାଇପାରେ ।