ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଯେଉଁଥିପାଇଁ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ଭଳି ନିୟମ ଜାରି ରହିଛି । ଏହାମଧ୍ୟରେ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଯୋଗୁଁ ପୂର୍ବ ରେଲୱେ ପକ୍ଷରୁ ଅନେକ ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଛି ।
ପୂର୍ବରେଲୱେ ଅନୁସାରେ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣର ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଲାଗୁ ଡାଉନ୍ ଲାଗୁ ହୋଇଛି, ଯେଉଁଥି ପାଇଁ ଟ୍ରେନ୍ ଗୁଡିକୁ ବାତିଲ କରିବାର ନିଷ୍ପତି ନିଆଯାଇଛି ।
ରେଲୱେ ପକ୍ଷରୁ କୁହାଯାଇଛି କି, ଜୁଲାଇ ୨୮ରେ ନୂଆଦିଲ୍ଲୀ ହାୱାଡା ଯିବାକୁ ଥିବା ଟ୍ରେନ୍ ନମ୍ବର ୦୨୩୦୨ ଏବଂ ୨୯ ଜୁଲାଇକୁ ଫେରିବାକୁ ଥିବା ଟ୍ରେନ ନମ୍ବର ୦୨୩୦୧ କୁ ରଦ୍ଦ କରାଯାଇଛି ।
ସେହିପରି ହାୱଡା-ପାଟନା (୦୨୨୦୩) ଏବଂ ପାଟନା-ହାୱଡା (୦୨୨୦୪) ସ୍ପେଶାଲ ଟ୍ରେନ୍ ଜୁଲାଇ ୨୯ ରେ ରଦ୍ଦ କରାଯାଇଛି । ପାଟନା-ଶାଲିମାର (୦୨୨୧୪) ଏବଂ ଶାଲିମାର-ପାଟନା (୦୨୨୧୩) ସ୍ପେଶାଲ ଟ୍ରେନ୍ ୨୮ ଏବଂ ୨୯ ଜୁଲାଇରେ ଚାଲିବ ନାହିଁ । ଏହାସହିତ ଜୁଲାଇ ୨୭ ଏବଂ ୨୯ କୁ ସିୟାଲଦହ-ନ୍ୟୁ ଅଲିପୁରଦୁଆର ସ୍ପେଶାଲ ଟେନ୍ (୦୨୩୭୭) ବାତିଲ କରାଯାଇଛି ।
ଏହାବ୍ୟତିତ ନ୍ୟୁ ଅଲିପୁରଦୁଆର-ସିୟାଲଦହ (୦୨୩୭୮) ସ୍ପେଶାଲ ଟ୍ରେନ୍ ୨୮ ଏବଂ ୩୦ ରେ ଚାଲିବ ନାହିଁ । ସେହିପରି ସିୟାଲଦହ-ଭୁବନେଶ୍ୱର (୦୨୨୦୧) ଏବଂ ଭୁବନେଶ୍ୱର-ସିୟାଲଦହ (୦୨୨୦୨) ସ୍ପେଶାଲ ଟ୍ରେନ୍ ଜୁଲାଇ ୨୭ ଏବଂ ୨୮ ସଂଚାଳନ ହେବ ନାହିଁ ।