ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଦେଶର ଦ୍ୱିତୀୟ ଓ ଗୋପାଳପୁର ଚତୁର୍ଥ ପରିଷ୍କାର ବା ସ୍ୱଚ୍ଛ ବେଳାଭୂମୀ ଭାବେ ମାନ୍ୟତା ପାଇଛି । ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର (ଏନସିସିଆର) ସର୍ଭେ ରିପୋର୍ଟରୁ ଏହା ଜଣା ପଡିଛି । ଏହି ରିପୋର୍ଟରେ କୁହାଯାଇଛି ଯେ, ଓଡିଶାରେ ଥିବା ବେଳାଭୂମି ଗୁଡିକ କମ ପ୍ରଦୂଷିତ । ୨୦୧୯ ସେପ୍ଟେମ୍ବର ମାସରେ ଏନସିସିଆର ପକ୍ଷରୁ ଦେଶର ୩୪ଟି ବେଳାଭୂମିକୁ ସର୍ଭେ କରାଯାଇଥିଲା । ପୁରୀ ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ରାଜ୍ୟ ସରକାର ସବୁବେଳେ ବହୁ ପ୍ରକାରର ପଦକ୍ଷେପ ଗ୍ରହଣ କରିଥାନ୍ତି । ଏହା ସହ ପୁରୀ ପ୍ରଶାସନ ପକ୍ଷରୁ ପୁରୀ ସହରକୁ ସ୍ୱଚ୍ଛ ରଖିବା ପାଇଁ ସବୁ ବେଳେ ସଫୋଇ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦିଆଯାଉଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ବେଳାଭୂମିକୁ ସଫା ରଖିବା ପାଇଁ ମୋ ବେଳାଭୂମି ଅଭିଯାନ କରାଯାଇଥିଲା । ଗତ ସେପ୍ଟେମ୍ବର ମାସରେ ଜାତୀୟ ଉପକୂଳ ସଫେଇ ଦିବସରେ ପୁରୀ ବେଳାଭୂମିରେ ଏକ ମେଗା ସଫେଇ କାର୍ଯ୍ୟ କରାଯାଇଥିଲା । ତେବେ ପୁରୀ ବେଳାଭୂମିକୁ ଦେଶର ଦ୍ୱିତୀୟ ସ୍ୱଚ୍ଛ ବୋଳାଭୂମିର ମାନ୍ୟତା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ, ଓଡିଶାର ସ୍ୱଚ୍ଛ ବେଳାଭୂମି ପର୍ଯ୍ୟଟକମାନଙ୍କୁ ଅପେକ୍ଷା କରି ରହିଛି । ପୁରୀ ବେଳାଭୂମିକୁ ସ୍ୱଚ୍ଛ କରିବା କ୍ଷେତ୍ରରେ ଏନସିସିଆର ଆମକୁ ସମର୍ଥନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।