ମୁମ୍ବାଇ(ଏଟିଆର ବ୍ୟୁରୋ): ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଟୋକିଓ ଅଲମ୍ପିକରେ ଭାରତୀୟ ଦଳର ବ୍ରାଣ୍ଡ ଆମ୍ବାସାଡାର ହୋଇପାରନ୍ତି । ଚଳିତ ବର୍ଷ ହେବାକୁ ଥିବା ଟୋକିଓ ଅଲମ୍ପିକ୍ ପାଇଁ ଦାଦାଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି ଭାରତୀୟ ଅଲମ୍ପିକ ସଂଘ । ତେବେ ବର୍ତ୍ତମାନ ସୌରଭ ବିସିସିଆଇର ଅଧ୍ୟକ୍ଷଭାବେ କାର୍ଯ୍ୟରତ ଅଛନ୍ତି । ଚତିତ ବର୍ଷ ଜୁଲାଇ ମାସ ୨୪ ତାରିଖରୁ ଅଗଷ୍ଟ ମାସ ୯ ତାରିଖ ପର୍ଯ୍ୟନ୍ତ ଟୋକିଓ ଅଲମ୍ପିକ ଚାଲିବ । ଏଥିରେ ଭାରତର ପାଖାପାଖି ୨୦୦ ଖେଳାଳି ଭାଗ ନେବେ । ଟୋକିଓ ଅଲମ୍ପିକ ପାଇଁ ଭାରତୀୟ ଦଳର ଗୁଡବିଲ୍ ଆମ୍ବାସାଡାର ପାଇଁ ଭାରତୀୟ ଅଲମ୍ପିକ ସଂଘ ସୌରଭ ଗାଙ୍ଗୁଲିଙ୍କୁ ଅନୁରୋଧ କରିଛି ।
ଏନେଇ ଭାରତୀୟ ଅଲମ୍ପିକ ସଂଘର ମହାସଚିବ ରାଜୀବ ମେହେତା ସୌରଭଙ୍କୁ ଏକ ଚିଠି ଲେଖିଛନ୍ତି । ରାଜୀବ ମେହେତା ଚିଠିରେ ଲେଖିଛନ୍ତି ଯେ, ଟୋକିଓ ଅଲମ୍ପିକରେ ସିନିୟର ଆଥଲେଟିକଙ୍କ ସହ ଯୁବ ଖେଳାଳି ମାନେ ସାମିଲ ହେବେ । ଭାରତୀୟ ଯୁବ ଖେଳାଳିଙ୍କ ପାଇଁ ଆପଣ ହେଉଛନ୍ତି ଆଦର୍ଶ । ଆପଣ ବ୍ରାଣ୍ଡ ଆମ୍ବାସାଡାର ହେବା ଦ୍ୱାରା ଭାରତୀୟ ଖେଳାଳିଙ୍କ ଉତ୍ସାହ ବଢିବ । ଆପଣ ହିଁ ଏହି ଦାୟିତ୍ୱକୁ ଠିକ ଭାବରେ ବହନ କରିପାରିବେ । ଚଳିତ ବର୍ଷ ହେବାକୁ ଥିବା ଅଲମ୍ପିକରେ ଭାରତର ଭାଗୀଦାରୀକୁ ୧୦୦ ବର୍ଷ ପୂରଣ ହେବ ବୋଲି ରାଜୀବ ମେହେତା ଚିଠିରେ ଲେଖିଛନ୍ତି ।