ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୈଷ୍ଣବ ଦେବୀ ତୀର୍ଥ ଯାତ୍ରୀଙ୍କ ପାଇଁ ଆଇଆରସିଟିସି ଏକ ସ୍ପେଶାଲ ଟୁର୍ ପ୍ୟାକେଜ୍ ନେଇ ଆସିଛି । ନୂଆଦିଲ୍ଲୀ ରୁ ବୈଷ୍ଣବ ଦେବୀ ପୀଠକୁ ଯିବା ପାଇଁ ଏହି ପ୍ୟାକେଜ୍ ର ନାଁ ‘ମାତାରାଣୀ ଟୁର୍ ପ୍ୟାକେଜ୍’ ରଖାଯାଇଛି । ଏହି ପ୍ୟାକେଜ୍ ରେ ଥାର୍ଡ ଏସି, ଖାଇବା ଏବଂ ରହିବା ପାଇଁ ହୋଟେଲର ବ୍ୟବସ୍ଥା ରହିଛି ।
ପ୍ରଥମ ଦିନ ଯାତ୍ରୀ ନୂଆଦିଲ୍ଲୀ ରେଲୱେ ଷ୍ଟେସନରୁ ରାଜଧାନୀ ଏକ୍ସପ୍ରେସ ଯୋଗେ ରାତି ୮.୪୦ ରେ ପ୍ରସ୍ଥାନ କରିବେ । ଏହାର ପରଦିନ ସକାଳ ୫.୪୫ ରେ ଏକ୍ସପ୍ରେସଟି ଜାମ୍ମୁ ରେଳ ଷ୍ଟେସନରେ ପହଁଚିବ । ଏହାପରେ ଯାତ୍ରୀଙ୍କୁ ଗୃପ୍ କରି ତାଙ୍କୁ କଟରା ପର୍ଯ୍ୟନ୍ତ ନିଆଯିବ । ସରସ୍ୱତୀ ଧାମରେ ଯାତ୍ରା ଟୋକେନ ନେବା ପରେ ଯାତ୍ରୀ ହୋଟେଲରେ ଚେକ୍ ଇନ୍ କରିବେ । ପୁଣି ସେଠାରେ ଚା’ ଜଳଖିଆ କରିବା ପରେ ସେମାନଙ୍କୁ ବାଣଗଙ୍ଗା ପର୍ଯ୍ୟନ୍ତ ନିଆଯିବ । ଏହାପରେ ଯାତ୍ରୀ ମନ୍ଦିରରେ ଦର୍ଶନ କରିପାରିବେ । ସେହିପରି ରାତି ପାଇଁ ଭୋଜନ ଏବଂ ରହିବା ସୁବିଧାବି ଏହି ପ୍ୟାକେଜ୍ ରେ ଉପଲବ୍ଧ କରାଯିବ ।
ତାପର ଦିନ ସକାଳ ଜଳଖିଆ ପରେ ଦିନ ୧୨ରେ ଯାତ୍ରୀଙ୍କୁ ହୋଟେଲରୁ ଚେକ୍ ଆଉଟ୍ କରିବାକୁ ପଡିବ । ପୁଣି ରାସ୍ତାରେ କିଛି ମନ୍ଦିର ଦେଖାଇବା ପରେ ୬.୩୦ ରେ ଯାତ୍ରୀଙ୍କୁ ଜାମ୍ମୁ ରେଳ ଷ୍ଟେସନରେ ଛଡା ଯିବ । ଏହାପରେ ୭.୪୦ ରେ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଅଭିମୁଖେ ଏକ୍ସପ୍ରେସଟି ବାହାରିବ ।
ଆଇଆରସିଟିସି ର ୱେବସାଇଟ ମୁତାବକ, ଏହି ପ୍ୟାକେଜ୍ ପାଇଁ ଜଣେ ଯାତ୍ରୀଙ୍କୁ ୭୭୮୫ ଟଙ୍କା ଦେବାକୁ ପଡିବ ।