ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖାଦ୍ୟ ଓ ପାନୀୟ ବ୍ୟବସ୍ଥାରେ ପାରଦର୍ଶିତା ଆଣିବା ପାଇଁ ଆଇଆରସିଟିସି ଏକ ନୂତନ ନିୟମ ଆଣିଛି । ଏବେ ଭୋଜନର ପ୍ରତ୍ୟେକ ପ୍ୟାକେଟରେ କ୍ୟୁଆର କୋଡ ରହିବ ।
ଏହି କୋଡକୁ ସ୍କାନ କରିବା ଦ୍ୱାରା ଯାତ୍ରୀଙ୍କ ମୋବାଇଲରେ ଖାଦ୍ୟ ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିଯିବ । ଯେପରିକି କେଉଁ କିଚେନରୁ ଖାଦ୍ୟ ପ୍ରସ୍ତୁତ ହୋଇଛି, ଏହାର ଲାଇସେନ୍ସ କିଏ ନେଇଛି ଏବଂ ତାଙ୍କ ନମ୍ବର ଇତ୍ୟାଦି । ଏହାବ୍ୟତିତ ଖାଦ୍ୟ ପ୍ୟାକେଟରେ ଓଜନ ବି ଜାଣିପାରିବେ । ଟ୍ରେନରେ ଆଇଆରସିଟିସି ଅଧିନରେ ପେଣ୍ଟ୍ରିକାର ରହିଥାନ୍ତି । ଏହାର ସଂଚାଳନ କିପରି କରାଯିବ, ଯାତ୍ରୀଙ୍କୁ ଖାଦ୍ୟରେ କଣ ଦିଆଯିବ ଏବଂ କଣ ଦିଆଯିବନି, ଏ ସମସ୍ତ ଜିନିଷ ଆଇଆରସିଟିସି ନିର୍ଦ୍ଧାରିତ କରିଥାଏ । ପ୍ରତ୍ୟେକ ନିୟମ ଏବଂ ସର୍ତ୍ତ ଅନୁଯାୟୀ ସଂଚାଳକଙ୍କୁ କାମ କରିବାକୁ ପଡିଥାଏ । ହୁଏତ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରିବା ପରେ ବି ଟ୍ରେନରେ ଭଲ ଖାଦ୍ୟ ମିଳୁନାହିଁ ।
ଏହାକୁ ବଦଳାଇ ପାଇଁ ଆଇଆରସିଟିସି ପକ୍ଷରୁ ପ୍ରୟାସ କରାଯାଉଛି । ଟ୍ରେନ୍ ରେ ଧୀରେ ଧୀରେ ଖାଦ୍ୟ ରୋଷେଇ କରିବାର ବ୍ୟବସ୍ଥାକୁ ବନ୍ଦ କରାଯିବ । ଏହା ବଦଳରେ ନିର୍ଦ୍ଧାରିତ ସ୍ଥାନରେ ସେଣ୍ଟ୍ରାଲ କିଚେନ୍ କରାଯିବ । ବିଳାସପୁରର ଜୋନଲ ଷ୍ଟେସନରେ ଜନଆହାର କେନ୍ଦ୍ରକୁ ସେଣ୍ଟ୍ରାଲ କିଚେନରେ ପରିବର୍ତ୍ତନ କରାଯାଇଛି । ଏଥିରେ କ୍ୟୁଆର କୋଡ୍ ର ନୂତନ ବ୍ୟବସ୍ଥାକୁ ଲାଗୁ କରାଯାଇଛି । ଏବେ ଏହି କିଚେନରୁ ଖାଦ୍ୟ ପ୍ୟାକେଟ ହୋଇ ବାହାରିବା ମାତ୍ରେ ଏଥିରେ କ୍ୟୁଆର କୋଡ ରହିବ । ଯଦି ଖାଦ୍ୟରେ କୌଣସି ଅସୁବିଧା ରହିବ ତେବେ ଯାତ୍ରୀ ସିଧାସଳଖ ଅଭିଯୋଗ କରିପାରିବେ ।
ସବୁଠାରୁ ବଡ କଥା ହେଉଛି କ୍ୟୁଆର କୋଡ ସ୍କାନ କରିବା ଦ୍ୱାରା ଯେଉଁ ପେଜ୍ ଖୋଲିବ ସେଥିରେ ଏକ ବିକଳ୍ପର ବଟନ ରହିବ । ଯାହାକୁ କ୍ଲିକ କରିବା ଦ୍ୱାରା ଯାତ୍ରୀ ଲାଇଭ ମନିଟରିଙ୍ଗ କରିପାରିବେ । ପ୍ରକୃତରେ କିଚେନରେ କିଭଳି ରୋଷେଇ ହେଉଛି, ସଫା ସୁତରା ଅଛି କି ନାହିଁ । ଏଥିରେ ଯାତ୍ରୀଙ୍କୁ ଯଦି ଠିକ୍ ଠାକ୍ ନଲାଗିଲା ତେବେ ସେମାନେ ଅଭିଯୋଗ ମଧ୍ୟ କରିପାରିବେ ।
ଆଇଅରସିଟିସି ର ଏରିୟା ମ୍ୟାନେଜର ରାଜେନ୍ଦ୍ର ବୋରବନ୍ କହିଛନ୍ତି କି, ରେଲୱେ ବୋର୍ଡର ଆଦେଶ କ୍ରମେ କ୍ୟୁଆର କୋଡ ର ନୂତନ ବ୍ୟବସ୍ଥା ଲାଗୁ କରିଦିଆଯାଇଛି । ବୁଧବାର ଏହାର ପ୍ରଥମ ଦିନ ଥିଲା । ଏବେ କେବଳ ଜୋନଲ ଷ୍ଟେସନରୁ ଗୋଟେ ଟ୍ରେନକୁ ଖାଦ୍ୟ ଦିଆଯାଉଛି । ଆଗାମୀ ଦିନରେ ସମସ୍ତ ଟ୍ରେନରେ ଜନଆହାରରୁ ଖାଦ୍ୟ ଦିଆଯିବ ।