ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇଣ୍ଡିଆ ସ୍ପେସ୍ ରିସର୍ଚ ଅର୍ଗାନାଇଜେସନ (ଇସ୍ରୋ) ର ଆଗାମୀ ମିଶନ ତଥା ପ୍ରଥମ ମାନବ ମିଶନ ‘ଗଗନାୟନ’ଯାହା ୨୦୨୨ ରେ ହେବାକୁ ଯାଉଛି, ଏହାର ଟ୍ରେନିଂ ପାଇଁ ପ୍ରାରମ୍ଭିକ ଚରଣ ପରୀକ୍ଷା ଶେଷ ହୋଇଛି । ଏହି ପ୍ରାରମ୍ଭିକ ଚରଣରେ ବଲାଙ୍ଗିରର ଓଡିଆ ପୁଅ ୱିଙ୍ଗ କମାଣ୍ଡର ନିଖିଲ ରଥ ପାସ୍ କରିଛନ୍ତି । ସେହି ଅନୁଯାୟୀ ଏହି ମିଶନ ପାଇଁ ଯେଉଁମାନଙ୍କୁ ବଛା ଯିବ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ମିଶନ ପାଇଁ ଏପର୍ଯ୍ୟନ୍ତ ୨୫ ପାଇଲଟଙ୍କ ନାଁ ସର୍ଟଲିଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ ଓଡିଶାର ନିଖିଲ ରଥ ଏଥିରେ ବାଜି ମାରିଛନ୍ତି ।
ନିଖିଲଙ୍କ ସମେତ ଚୟନ ହୋଇଥିବା ଅନ୍ୟ ପାଇଲଟଙ୍କୁ ଏକ ବର୍ଷ ଯାଏଁ ଋଷରେ ଭାରତର ଆଗାମୀ ସ୍ପେସ ମିଶନ ଗଗନୟାନ ପାଇଁ ଟ୍ରେନିଂ ଦିଆଯିବ । ଯଦି ଏୟାର ଫୋର୍ସ ପାଇଲଟର ଫାଇନାଲ ଲିଷ୍ଟରେ ନିଖିଲ ଜାଗା ବନାଇବାରେ ସଫଳ ହୁଅନ୍ତି ତେବେ ସେ ଏହି ମିଶନରେ ସାତ ଦିନ ପାଇଁ ଯିବା ଲାଗି ଟପ୍ ୩ ଆଷ୍ଟ୍ରୋନଟ୍ ରେ ସାମିଲ ହେବେ । ଏହା ନିଖିଲ ଏବଂ ତାଙ୍କ ପରିବାର ପାଇଁ ଗର୍ବ ଓ ଗୌରବର କଥା ।
ଜାଣନ୍ତୁ ଏହି ସ୍ପେସ ମିଶନ ବିଷୟରେ:
ଦଶ ହଜାର କୋଟିର ଏହି ମିଶନ ପାଇଁ ଗତବର୍ଷ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ସେହି ଅନୁସାରେ ୨୦୨୨ ରେ ଇସ୍ରୋ ଆନ୍ତରୀକ୍ଷକୁ ୩ ଭାରତୀୟଙ୍କୁ ପଠାଯିବ । ଏହି ପ୍ରୋଜେକ୍ଟରେ ଇସ୍ରୋ ଏବଂ ଭାରତୀୟ ବାୟୁସେନା ମିଶିକି କାମ କରିବେ । ବାୟୁସେନା ପକ୍ଷରୁ ପାଇଲଟଙ୍କୁ ଚୟନ କରାଯାଇ ଇସ୍ରୋକୁ ପଠାଯିବ । ଏହାପରେ ଇସ୍ରୋ ପକ୍ଷରୁ ସେମାନଙ୍କୁ ଟ୍ରେନିଂ ଦିଆଯିବ । ଭାରତର ଏହା ସବୁଠାରୁ ମହତ୍ୱକାଂକ୍ଷୀ ମିଶନ ।
ଆସନ୍ତୁ ଜାଣିବା ନିଖିଲ ରଥଙ୍କ ବିଷୟରେ..
ବଲାଙ୍ଗିରର ବରିଷ୍ଠ ଓକିଲ ଅଶୋକ ରଥ ଏବଂ ୱମେନ କମିଶନର ମେମ୍ବର କୁସୁମ ରଥଙ୍କ ସୁପୁତ୍ର ହେଉଛନ୍ତି ନିଖିଲ । ୧୯୯୮ ମସିହାରେ ନିଖିଲ ବଲାଙ୍ଗିରର କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ୨୦୦୦ ମସିହାରେ ଦିଲ୍ଲୀ ପବ୍ଲିକ ସ୍କୁଲରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ପ୍ରଥମ ଚେଷ୍ଟାରେ ନ୍ୟାସନାଲ ଡିଫେନ୍ସ ଆକେଡମୀ କ୍ଲିୟର କରି କ୍ୟାଡିଟ ରୂପେ ୨୦୦୩ରେ ଇଣ୍ଡିଆନ୍ ଏୟାରଫୋର୍ସରେ ଯୋଗ ଦେଇଥିଲେ ।