ନଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷ ୨୦୨୦ ରେ ଆଦିତ୍ୟ ଏବଂ ଗଗନଯାନ ସମେତ ଅନେକ ମିଶନ ଲଞ୍ଚ କରିବାର ପ୍ରସ୍ତୁତିରେ ଲାଗି ପଡିଛି ଭାରତୀୟ ଆନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) । ୨୦୨୦ ପାଇଁ ଅନେକ ବଡ ବଡ ଲକ୍ଷ୍ୟ ନିର୍ଦ୍ଧାରିତ କରିଛି ଇସ୍ରୋ । ଗୋଟେ ପଟେ ଆଦିତ୍ୟ ମିଶନ ଜରିଆରେ ସୂର୍ଯ୍ୟଙ୍କ ପାଖକୁ ଯିବା ପାଇଁ ଚେଷ୍ଟା କରିବ ତ ପୁଣି ଗଗନଯାନ ଜରିଆରେ ପ୍ରଥମ ଥର ପାଇଁ ଭାରତୀୟ ଯାତ୍ରୀଙ୍କୁ ଅନ୍ତରୀକ୍ଷରେ ପଠାଇବାକୁ ଚେଷ୍ଟା ଜାରି ରଖିବ ।
ଏହାବ୍ୟତିତ ୨୦୨୦ରେ ଇସ୍ରୋ ଅନେକ ସାଟେଲାଇଟ୍ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଜାରି ରଖିଛି । ଇସ୍ରୋର ଚେୟାରମ୍ୟାନ୍ କେ ସିବନଙ୍କ ଅନୁସାରେ , ୨୦୨୦ରେ ଇସ୍ରୋ ଅତି କମ୍ ରେ ୧୦ ସାଟେଲାଇଟକୁ ଲଞ୍ଚ କରାଯିବ ।
ଯେଉଁ ସାଟେଲାଇଟକୁ ଇସ୍ରୋ ଲଞ୍ଚ କରିବ ସେଥିରେ ଆଡଭାନ୍ସ କମ୍ୟୁନିକେସନ୍ ସାଟେଲାଇଟ୍ ଜିସ୍ୟାଟ୧, ଜିସ୍ୟାଟ୧୨ଆର, ରିମୋଟ ସେଂସିଙ୍ଗ ରିସ୍ୟାଟ ୨ବିଆର୨ ଏବଂ ମାଇକ୍ରୋସ୍ୟାଟ୍ ସାମିଲ ଅଛି ।
ଆଦିତ୍ୟ ଏଲ୧ ମିଶନକୁ ମଧ୍ୟ ୨୦୨୦ ରେ ଲଞ୍ଚ କରାଯିବାର ଯୋଜନା ରହିଛି । ଏହି ମିଶନ ପୃଥ୍ୱିବୀରେ ଜଳବାୟୁ ପରିବର୍ତ୍ତନକୁ ବୁଝିବା ଏବଂ ଭବିଷ୍ୟବାଣୀ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ।
ଏହାବ୍ୟତିତ ମିଶନ ଗଗନଯାନ ପାଇଁ ପ୍ରଥମ ଟେଷ୍ଟ ଫ୍ଲାଇଟକୁ ଡିସେମ୍ବରରେ ଲଞ୍ଚ କରାଯିବ । ଗଗନଯାନ ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ । ଯାହାକୁ ଇସ୍ରୋ ଦ୍ୱାରା ୨୦୨୧ ସୁଦ୍ଧା ଉତକ୍ଷେପଣ କରିବାର ଲକ୍ଷ୍ୟ ରଖାଯାଇଛି । ଏନେଇ ଭାରତୀୟ ବାୟୁସେନା ସହ ଇସ୍ରୋ ମିଶି ମିଳିତ ଭାବେ ପ୍ରସ୍ତୁତି ଜାରି ରଖିଛି ।
ସେହିପରି ଚନ୍ଦ୍ରଯାନ ୨ ବିଫଳ ହେବା ପରେ ଏବେ ଇସ୍ରୋ ଚନ୍ଦ୍ରଯାନ ୩ର ପ୍ରସ୍ତୁତିରେ ଲାଗି ପଡିଛି । ରିପୋର୍ଟ ମୁତାବକ, ୨୦୨୦ରେ ଚନ୍ଦ୍ରଯାନ ୩ କୁ ଲଞ୍ଚ କରିବାର ଯୋଜନା ରଖାଯାଇଛି ।