ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଣି ଥରେ ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଆଜ୍ଞା ହଁ ପିଏସଏଲଭି-ସି୫୦ ଜରିଆରେ ଇସ୍ରୋ ଆଜି କମ୍ୟୁନିକେସନ ସାଟେଲାଇଟ ସିଏମଏସ-୦୧ ଲଞ୍ଚ କରିବ । କରୋନା କାଳ ମଧ୍ୟରେ ଇସ୍ରୋର ଏହା ଦ୍ୱିତୀୟ ମିଶନ । ଯେଉଁଥିପାଇଁ ସତୀଶ ଧୱନ ସ୍ପେସ ସେଣ୍ଟରରୁ ଗତକାଲିଠାରୁ ଓଲଟା ଗଣନା ଆରମ୍ଭ ହୋଇଯାଇଛି ।
ଏହା ପିଏସଏଲଭି ର ଏହା ୫୨ତମ ମିଶନ ହେବ । କମ୍ୟୁନିକେସନ ସାଟେଲାଇଟ ସିଏମଏସ-୦୧ କୁ ଆଜି ଦ୍ୱିପ୍ରହର ୩.୪୧ ରେ ଶ୍ରୀହରିକୋଟାର ଦ୍ୱିତୀୟ ଲଞ୍ଚପ୍ୟାଡରୁ ଉତକ୍ଷେପଣ କରାଯିବ । ସିଏମଏସ-୦୧ ଇସ୍ରୋର ୪୨ତମ କମ୍ୟୁନିକେସନ ସାଟେଲାଇଟ୍ । ଏହା ଦେଶର ମୁଖ୍ୟ ଭୂମି ସହିତ ଆଣ୍ଡମାନ ନିକୋବର ଏବଂ ଲକ୍ଷଦୀପ ସମୂହକୁ ଏକ୍ସଟେଣ୍ଡଡେଡ ସି-ବ୍ୟାଣ୍ଡ ର ସେବା ଉପଲବ୍ଧ କରାଇବ । ଏହାପୂର୍ବରୁ ନଭେମ୍ବର ୭ରେ ପିଏସଏଲଭି-ସି୪୯ ଜରିଆରେ ମୃତ୍ତିକା ନିରୀକ୍ଷଣ ସାଟେଲାଇଟକୁ ଉତକ୍ଷେପଣ କରାଯାଇଥିଲା ।
ସିଏମଏସ-୦୧ ସାଟେଲାଇଟ ଦ୍ୱାରା ଟେଲିକମ୍ୟୁନିକେସନ ସେବାରେ ସୁଧାର ଆସିବ । ଟିଭି ଚ୍ୟାନେଲର ପିକଚରରେ ପରିବର୍ତ୍ତନ ଆସିବା ସହିତ ବିପର୍ଯ୍ୟୟ ପରିଚାଳନା ସମୟରେ ସରକାରଙ୍କୁ ସହାୟତା ମିଳିବ । ଏହି ସିଏମଏସ-୦୧ ସାଟେଲାଇଟ ଆଗାମୀ ୭ ବର୍ଷ ପର୍ଯ୍ୟନ୍ତ ସେବା ପ୍ରଦାନ କରିବ ।