ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଶାନ୍ତ ଜେଏନୟୁରେ ଫେରି ପାରେ ସାମାନ୍ୟ ଶାନ୍ତି । ୭୬ଦିନ ଧରି ଚାଲୁ ରହିଥିବା ପ୍ରଦର୍ଶନ ହୋଇପାରେ ଶାନ୍ତ । ଗତ ସପ୍ତାହେ ଧରି ସମସ୍ୟା ସମାଧାନ ନିମନ୍ତେ ମାନବ ସମ୍ବଳ ବିକାଶ (ଏଚଆରଡି) ପକ୍ଷରୁ ଛାତ୍ରଛାତ୍ରୀ , ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ କୁଳପତିଙ୍କ ସହ ଆଲୋଚନା କରାଯାଇଛି । ତେବେ ମନ୍ତ୍ରାଳୟ ପକ୍ଷରୁ ଆଶା କରାଯାଉଛି ଯେ, ଜାନୁଆରୀ ୧୩ରୁ ପାଠପଢା ଆରମ୍ଭ ହୋଇଗଲେ ପରିସ୍ଥିତି ସ୍ୱଭାବିକ ହୋଇଯାଇପାରେ ।
ପିଲାମାନେ କକ୍ଷତ୍ୟାଗ କରିବା ପରିବର୍ତ୍ତେ କ୍ଲାସ ରୁମକୁ ଆସି ବସିବା ସହ ପାଠ ପଡିବାକୁ ବିକଳ୍ପ ରୂପେ ଗ୍ରହଣ କରିବେ ବୋଲି ଅଧିକାରୀମାନେ ଆଶା କରିଛନ୍ତି । ଛାତ୍ରଛାତ୍ରୀମାନେ ଗତ ୭୬ଦିନଧରି ପ୍ରତିବାଦ କରିଆସୁଥିବା ହଷ୍ଟେଲ ଫି ବୃଦ୍ଧି ଭଳି ପ୍ରସଙ୍ଗର ସମାଧାନ କରିବା ନିମନ୍ତେ ଦୃଷ୍ଟି ପ୍ରଦାନ କରାଯାଇଛି । ତେବେ ଜେଏନୟୁର ୫୦ପ୍ରତିଶତ ଛାତ୍ରଛାତ୍ରୀ ସେମିଷ୍ଟାର ପାଇଁ ନିଜର ନାମ ପଞ୍ଜିକୃତ କରିସାରିଥିବାରୁ ବିରୋଧ ପ୍ରଦର୍ଶନ କମ ହେବ ବୋଲି ଆଶା କରାଯାଉଛି । ଅନ୍ୟପଟେ ଆଜିଠାରୁ ବିଶ୍ୱବିଦ୍ୟାଳରେ ପୁଣି କ୍ଲାସ ଆରମ୍ଭ ହେବାର ଆଶା କରାଯାଉଛି ।
ଏହି ସମୟରେ ମନ୍ତ୍ରାଳୟ ଆଶା ରଖିଛି ଯେ ଛାତ୍ରଛାତ୍ରୀମାନେ କ୍ଲାସକୁ ଫେରିବା ସହ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ପିଲାମାନେ ସେମିଷ୍ଟା ନିମନ୍ତେ ନିଜର ନାମ ପଞ୍ଜିକୃତ କରିବେ । ତେବେ ଜେଏନୟୁ ଛାତ୍ରସଂଘ ଏଯାଏଁ ବିରୋଧ ବନ୍ଦ କରିବା ନେଇ କୌଣସି ସୂଚନା ପ୍ରଦାନ କରିନାହିଁ । ମାତ୍ର କୁହାଯାଇଛି ଯେ , ଯଦି ହଷ୍ଟେଲ ଫି ବୃଦ୍ଧି ପ୍ରତ୍ୟାହାର କରାଯିବ, ତା’ହେଲେ ଛାତ୍ରମାନଙ୍କୁ ପଂଜୀକରଣ ପାଇଁ ଅଟକାଯିବ ନାହିଁ । ଅନ୍ୟପଟେ ଛାତ୍ରସଂଘ କୁଳପତିଙ୍କୁ ବାହାର କରିବା ପାଇଁ କରିଥିବା ଦାବିକୁ ଏଚଆରଡି ମନ୍ତ୍ରାଳୟ ପକ୍ଷରୁ ଖାରଜ କରିଦିଆଯାଇଛି ।